Odia News Portal

ଆସନ୍ତୁ ପ୍ରେସରରେ ପ୍ରସ୍ତୁତ କରିବା ସ୍ୱାଦିଷ୍ଟ ଚକଲେଟ୍‌ ବିସ୍କୁଟ କେକ୍‌

ଆମେ ସାଧାରଣତଃ କେକ୍‌ ବାହାରୁ କିଣି ଖାଇବାକୁ ପସନ୍ଦ କରିଥାଉ। ହେଲେ ଏହାକୁ ସହଜରେ ଓ ଅଳ୍ପ ଖର୍ଚ୍ଚରେ ଘରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ଆଜି ଆସନ୍ତୁ ଜାଣିବା କିପରି ପ୍ରେସର କୁକରରେ ପ୍ରସ୍ତୁତ କରି ପାରିବା ବିସ୍କୁଟ୍‌ କେକ୍‌।

ଆବଶ୍ୟକ ସାମଗ୍ରୀ: ୨ ପ୍ୟାକେଟ୍ ଚକଲେଟ୍‌ ବିସ୍କୁଟ୍‌, ଚିନି, ରିଫାଇନ୍‌ ତେଲ, ଘିଅ, କ୍ଷୀର, ବଟର୍ ପେପର୍‌ ଓ ଇନୋ

ପ୍ରସ୍ତୁତ ପ୍ରଣାଳୀ:

ସୋପାନ-୧: ପ୍ରଥମେ ଏକ ବାଉଲ୍‌ରେ ୨ ପ୍ୟାକେଟ୍‌ ଅର୍ଥାତ୍‌ ୧୦୦ ଗ୍ରାମ୍‌ର ଚକଲେଟ୍‌ ବିସ୍କୁଟ୍‌ ନିଅନ୍ତୁ। ଏହାପରେ ଏହି ବିସ୍କୁଟଗୁଡ଼ିକୁ ଭାଙ୍ଗି ଏକ ମିସ୍କିରେ ପକାନ୍ତୁ। ସେଥିରେ ସ୍ୱାଦ ମୁତାବକ ଚିନି ପକାନ୍ତୁ ଓ ଏହାର ଫାଇନ୍‌ ପାଉଡର ପ୍ରସ୍ତୁତ କରନ୍ତୁ। ଏହାପରେ ଉକ୍ତ ପାଉଡରକୁ ଏକ ବାଉଲ୍‌ରେ ଅଜାଡ଼ି ଦିଅନ୍ତୁ। ଏଥିରେ ୧ ଚାମଚ ଘିଅ, କିମ୍ୱା ରିଫାଇନ ପକାନ୍ତୁ। ଅଧା କପ୍‌ ଥଣ୍ଡା କ୍ଷୀରକୁ ଏଥିରେ ଧୀରେ ଧୀରେ ମିଶାନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ପୂରା ବହଳିଆ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କେକ୍‌ ଘୋଳ। ଏହାକୁ ୨-୩ ମିନିଟ୍‌ ରଖି ଦିଅନ୍ତୁ।

ସୋପାନ-୨: ଏକ ଟିଫିନ୍‌ର ଚାରି ପଟରେ ରିଫାଇନ୍‌ ତେଲ ଲଗାଇ ଦିଅନ୍ତୁ। ଏହା ଉପରେ ବଟର ପେପର୍‌ ରଖନ୍ତୁ। ସେହିପରି ଏକ ୫ ଲିଟର୍‌ ପ୍ରେସର କୁକରରେ କିଛି ଲୁଣ ନିଅନ୍ତୁ। ଗ୍ୟାସ୍‌ ସିମ୍‌ କରି ଏହାକୁ ଗରମ ହେବାକୁ ଛାଡ଼ି ଦିଅନ୍ତୁ।

ସୋପାନ-୩: କୁକର୍‌ ଗରମ ହୋଇଗଲା ପରେ, କେକ୍‌ ଘୋଳକୁ ପୁଣି ଥରେ ଗୋଳାଇ ସେଥିରେ ଅଧା ଚାମଚ ଇନୋ ପକାନ୍ତୁ। ଇନୋକୁ ଅଳ୍ପ ପାଣି କିମ୍ୱା କ୍ଷୀରରେ ଗୋଳାଇ ସେଥିରେ ସାଙ୍ଗେ ସାଙ୍ଗେ ପକାଇ ଭଲ ଭାବେ ଗୋଳାଇ ଦେବେ। ଏହାପରେ ଏହାକୁ ବଟର ପେପର ଲଗା ଟିଫିନ୍‌କୁ କାଢି ନେଇ ଯାଆନ୍ତୁ।

ସୋପାନ-୪: ଏବେ ଟିଫିନ୍‌ଟିକୁ ଅତି ସାବଧାନତାର ସହ ଗରମ ପ୍ରେସର କୁକର ଭିତରେ ରଖି ଦିଅନ୍ତୁ। ଏବେ ଏଥିରେ ଘୋଡ଼ଣି ଦେଇ ଦିଅନ୍ତୁ। ତେବେ ମନେ ରଖିବେ ଘୋଡ଼ଣିରୁ ହୁଇସିଲ୍‌ କାଢ଼ି ଦେବେ। ଏବେ ଏହାକୁ ଗ୍ୟାସ୍‌ ଉପରେ ଏମିତି ୩୦ ମିନିଟ୍ ଛାଡ଼ି ଦିଅନ୍ତୁ। କେକ୍‌ ହେଲାଣି କି ନାହିଁ ଜାଣିବା ପାଇଁ ଏକ ଚାମଚ କିମ୍ବା ଛୁରିକୁ ଏହା ଭିତରେ ଭର୍ତ୍ତି କରନ୍ତୁ। ତା’ପରେ ଏହାକୁ ଗ୍ୟାସ୍‌ରୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକଲେଟ୍‌ ବିସ୍କୁଟ କେକ୍‌।