ଏଣିକି ଆଉ ପାଣି ପାଇଁ ଲମ୍ବା ଲାଇନର ଭୟ ନାହିଁ କି କଷ୍ଟକର ଯାତ୍ରା କରିବାକୁ ପଡୁନାହିଁ । କାଶୀପୁର ବ୍ଲକର ଦୁର୍ଗମ ଗ୍ରାମ ଗୁଡ଼ିକର ମହିଳାମାନଙ୍କ ଜଳକଷ୍ଟ ଏବେ ଦୂର ହୋଇଛି । ବେଦାନ୍ତ ଆଲୁମିନିୟମ ଦ୍ୱାରା ‘ନିର୍ମଳ ପ୍ରୋଜେକ୍ଟ’ ଅଧୀନରେ ସୌର-ଚାଳିତ ଗଭୀର ବୋରୱେଲ୍ ପ୍ରକଳ୍ପ ଡୁମେରପଦର, ସାଗାବାରୀ, ଚୁଲବାଡି, ସୁଙ୍ଗେର, ଧାମନଘାଟି, ସିଆଡିମାଲ ଓ ଲଦାଖମନ ଭଳି 7ଟି ଗାଁରେ ଜଳ ସଂକଟକୁ ସମାପ୍ତ କରିଛି ।ଏହି ପ୍ରକଳ୍ପ ଯୋଗୁଁ 3 ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପକୃତ ହେଉଛନ୍ତି । 7ଟି ଗାଁରେ ବର୍ଷସାରା ନିରାପଦ ପାନୀୟ ଜଳ ଉପଲବ୍ଧ ହୋଇ ପାରୁଛି । ଅନ୍ୟପଟେ ଯେଉଁ ମହିଳାଙ୍କ ସମୟ ପାଣି ସଂଗ୍ରହ କରିବା ପାଇଁ ପୂର୍ବରୁ ଦୈନିକ 4-5 ଘଣ୍ଟା ଯାଉଥିଲା ଏବେ ସେହି ସମୟ ରୋଜଗାର, ଶିକ୍ଷା ଓ ପରିବାର ଯତ୍ନରେ ବ୍ୟବହୃତ ହେଉଛି। ଜଳ ବିଶୋଧନ ବ୍ୟବସ୍ଥା ଯୋଗୁଁ କାଦୁଅ ଓ ଅଶୁଦ୍ଧତା ଦୂର, ଜଳଜନିତ ରୋଗ କମିଛି। ସିଜିମାଲି ପାହାଡ଼ ଅଞ୍ଚଳରେ ବକ୍ସାଇଟ୍ ଭଣ୍ଡାର ଥିଲେ ମଧ୍ୟ ଅଭେଦ୍ୟ ମାଳଭୂମି ଯୋଗୁଁ ବର୍ଷାଜଳ ଭୂମିରେ ନ ମିଶି ବହିଯାଏ। ଭୂତଳ ଜଳ 750 ଫୁଟ ତଳେ ଥିବାରୁ ପାରମ୍ପରିକ କୂଅ ଅସମ୍ଭବ ଥିଲା। ଖରାଦିନେ ଝରଣା ଶୁଖିଯାଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କୁ ବର୍ଷବର୍ଷ ଧରି ଜଳକଷ୍ଟ ଭୋଗିବାକୁ ପଡୁଥିଲା ।ଡୁମେରପଦର ଗ୍ରାମର ଚନ୍ଦ୍ରିକା ନାୟକ କୁହନ୍ତି, “ଆଗରୁ ପାଣି ପାଇଁ ଅଧା ଦିନ ଚାଲିଯାଉଥିଲା। ଖରାଦିନେ ଆହୁରି ଦୂରକୁ ଯିବାକୁ ପଡୁଥିଲା। ବେଦାନ୍ତର ସୌର ବୋରୱେଲ୍ ଆମ ପାଇଁ ସତରେ ବରଦାନ। ଏବେ ଘର ପାଖରେ ପାଣି, ଆଉ ଟ୍ୟାଙ୍କର କି ବିଦ୍ୟୁତ୍ କୁ ଅପେକ୍ଷା କରିବାକୁ ପଡୁନି।”ବେଦାନ୍ତ କେବଳ ବୋରୱେଲ୍ ଖୋଳିନାହିଁ। ଜଳଭୌତିକ ଅଧ୍ୟୟନ ମାଧ୍ୟମରେ 20ରୁ ଅଧିକ ସ୍ଥାନରେ ଝରଣା ପୁନରୁଦ୍ଧାର ଓ ବର୍ଷାଜଳ ପୁନଃଚାର୍ଜ ଯୋଜନା ଚାଲିଛି। ବୈଷୟିକ ମୂଲ୍ୟାଙ୍କନ ଅନୁଯାୟୀ, ବକ୍ସାଇଟ୍ ଭଣ୍ଡାର ଭୂତଳ ଜଳଭଣ୍ଡାର ଠାରୁ ବହୁ ଉପରେ ଥିବାରୁ ଖଣି କାର୍ଯ୍ୟ ସହ ଜଳ ସୁରକ୍ଷା ସମ୍ଭବ। ସିଜିମାଲି କେବଳ ଖଣିଜ ସମ୍ପଦ ପାଇଁ ନୁହେଁ, ମାନବିକ ବିକାଶ ପାଇଁ ଜଣାଯାଉ । ଜଳ ହେଉଛି ଜୀବନ, ଆଉ ସମ୍ପ୍ରଦାୟର ଜୀବନମାନ ଉନ୍ନତି କରିବା ପ୍ରତିବଦ୍ଧତା। ସ୍ଥାନୀୟ ଆବଶ୍ୟକତା ଓ ଦେଶର ବିକାଶ ଏକାଠି ହୋଇପାରିବ, ସିଜିମାଲି ତା’ର ଉଦାହରଣ।
