Odia News Portal

CGD ନୀତି-୨୦୨୬ ପାଇଁ ବିଜ୍ଞପ୍ତି; ରାଜ୍ୟରେ ୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ, ୨୭୧ଟି CNG ଷ୍ଟେସନ ସ୍ଥାପନ ଲକ୍ଷ୍ୟ

 ଓଡିଶା ସହରୀ ଗ୍ୟାସ୍‌ ବଣ୍ଟନ (CGD) ନୀତି-୨୦୨୬ ପାଇଁ ବିଜ୍ଞପ୍ତି ଜାରି ହୋଇଛି । PNG ନେଟୱର୍କ ଏବଂ ସହରୀ ଗ୍ୟାସ୍‌ ବଣ୍ଟନକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଗୃହ ନିର୍ମାଣ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩୦ଟି ଜିଲ୍ଲାରେ ସଂଯୋଗ ପାଇଁ ୫ଟି CGD ସଂସ୍ଥା ଅଧିକୃତ କରାଯାଇଛି । ୯ ଲକ୍ଷ PNG ଘରୋଇ ସଂଯୋଗ ଓ ୨୭୧ଟି CNG ଷ୍ଟେସନ୍ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।ରାଜ୍ୟରେ ସ୍ୱଚ୍ଛ ଏବଂ ପରିବେଶବନ୍ଧବ ଜାଳେଣି ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ପାଇପ୍ ପ୍ରାକୃତିକ ଗ୍ୟାସ୍ ଏବଂ ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍ (CNG) ଭିତ୍ତିଭୂମିର ଦ୍ରୁତ ବିକାଶ ପାଇଁ ଓଡ଼ିଶା ସରକାର “ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନୀତି, ୨୦୨୬” କୁ ଅଧିସୂଚିତ କରିଛନ୍ତି । ଏହି ନୀତି ମାଧ୍ୟମରେ ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତିର ପ୍ରଚାର ସହିତ ‘ବିକଶିତ ଓଡ଼ିଶା’ ଗଠନ ଲକ୍ଷ୍ୟକୁ ଅଧିକ ଗତି ମିଳିବ ।ଏହି ନୀତିର କାର୍ଯ୍ୟାନ୍ୱୟନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ୍ ବିଭାଗ ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଶୀର୍ଷ କମିଟି ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ଜିଲ୍ଲା ସ୍ତରରେ ଏହି କମିଟିଗୁଡ଼ିକୁ ସିଙ୍ଗଲ୍ ୱିଣ୍ଡୋ ଅନୁମୋଦନ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବାର ଅଧିକାର ଦିଆଯାଇଥିବାରୁ ଗ୍ୟାସ୍ ପାଇପ ଲାଇନ୍ ବିଛାଇବା ଏବଂ ଭିତ୍ତିଭୂମି ସୃଷ୍ଟି ସମ୍ବନ୍ଧୀୟ ଅନୁମତି ପ୍ରକ୍ରିୟା ଅଧିକ ସରଳ ଓ ସମୟବଦ୍ଧ ହେବ ।ନୀତି ଅନୁଯାୟୀ, CGD କ୍ଷେତ୍ରର ଦ୍ରୁତ ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ ଅନୁମତି ଏବଂ ତଦାରଖ ଶୁଳ୍କକୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଏକକାଳୀନ ମୋରାଟୋରିୟମ୍ ଭିତ୍ତିରେ ଛାଡ଼ କରାଯାଇଛି । ଆବେଦନ ପ୍ରାପ୍ତିର ୭ କାର୍ଯ୍ୟଦିବସ ମଧ୍ୟରେ ଅନୁମତି ପ୍ରଦାନ କରିବାର ବ୍ୟବସ୍ଥା ରହିଥିବାବେଳେ, ୩୦ ଦିନ ମଧ୍ୟରେ କୌଣସି ନିଷ୍ପତ୍ତି ନ ହେଲେ ଏହାକୁ ‘ସ୍ୱତଃ ଅନୁମୋଦିତ’ (Deemed Approval) ଭାବେ ଗ୍ରହଣ କରାଯିବ ।ରାଜ୍ୟରେ CGD ଭିତ୍ତିଭୂମି ବିକାଶ ପାଇଁ GAIL, GAIL Gas, BPCL, Adani Total ଓ Megha Gas ସହିତ ୫ଟି ପ୍ରମୁଖ ସଂସ୍ଥା ଦ୍ୱାରା ପ୍ରାୟ ୫,୧୦୦ କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି । ଏହା ମାଧ୍ୟମରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ନଗର ଭିତ୍ତିଭୂମି ଉନ୍ନତିକୁ ନୂତନ ଗତି ମିଳିବ ।ନୀତିରେ ସିଟି ଗେଟ୍ ଷ୍ଟେସନ୍ ଏବଂ CNG ଷ୍ଟେସନ୍ ସ୍ଥାପନ ପାଇଁ ସରକାରୀ ଜମିକୁ ୩୦ ବର୍ଷ ପାଇଁ ଦୀର୍ଘମିଆଦୀ ଲିଜ୍ ଭିତ୍ତିରେ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ସେହିପରି, ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ଶିକ୍ଷାନୁଷ୍ଠାନ ଓ ବେସରକାରୀ ବସ୍‌ଗୁଡ଼ିକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ CNG ବ୍ୟବହାର କରିବାକୁ ପଡ଼ିବ । ଏହା ନଗରୀୟ ପ୍ରଦୂଷଣ ହ୍ରାସ ଏବଂ ପରିବେଶ ସୁରକ୍ଷାରେ ଦୂରଗାମୀ ପ୍ରଭାବ ପକାଇବ ।PNG ଓ CNG ସେବାକୁ ‘ଅତ୍ୟାବଶ୍ୟକ ସେବା’ ଭାବେ ଘୋଷଣା କରାଯାଇଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହାର ଯୋଗାଣ ଓ ପରିବହନ ବାଧାପ୍ରାପ୍ତ ହେବ ନାହିଁ । ଏହି ନୀତି ମାଧ୍ୟମରେ ରାଜ୍ୟରେ ପ୍ରାୟ ୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ ଏବଂ ୨୭୧ଟି CNG ଷ୍ଟେସନ୍ ସ୍ଥାପନର ଲକ୍ଷ୍ୟ ରଖାଯାଇଛି । ଏହା ଜନସାଧାରଣଙ୍କୁ ସୁଲଭ ଓ ସ୍ୱଚ୍ଛ ଜାଳେଣି ଯୋଗାଇବା ସହ ପରିବେଶ ସୁରକ୍ଷା ଏବଂ ସୁସ୍ଥ ନଗରୀୟ ଜୀବନଶୈଳୀ ଗଠନରେ ସହାୟକ ହେବ ବୋଲି ନୀତିରେ ଦର୍ଶା ଯାଇଛି ।