ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ଏଥର ନୂଆ ରେକର୍ଡ କରିବାକୁ ଯାଉଛି । ଦଳୀୟ ପ୍ରାର୍ଥୀ ରୀତା ସାହୁ ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭୋଟ ରେକର୍ଡକୁ ଟପିଯିବେ ବୋଲି ଆକଳନ କରାଗଲାଣି । ପ୍ରତିଦିନ ବିଜେଡି ଭୋଟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦଳୀୟ ନେତାମାନେ ଏଭଳି ହିସାବ କରୁଛନ୍ତି ।
୨୦୧୮ ଉପ ନିର୍ବାଚନରେ ପ୍ରଥମଥର ପାଇଁ ପ୍ରାର୍ଥୀ ହୋଇଥିଲେ ରୀତା ସାହୁ । କଂଗ୍ରେସର ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସିଧାସଳଖ ବିଜେଡିରେ ମିଶି ୧,୦୨,୮୭୧ ଖଣ୍ଡ ଭୋଟ ପାଇଥିଲେ । ସେତେବେଳେ ତାଙ୍କ ଠାରୁ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପ୍ରାୟ ୬୧ହଜାର ଭୋଟ ପାଇଥିଲେ । ଭୋଟର ବ୍ୟବଧାନ ୪୦ହଜାରରୁ ଅଧିକ ଥିଲା । ହେଲେ ସାଧାରଣ ନିର୍ବାଚନରେ ରୀତା ଆଉ ଟିକଟ ପାଇନଥିଲେ ।
୨୦୧୯ ରେ ହୋଇଥିବା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହିତ ବିଜେପୁର ପ୍ରାର୍ଥୀ ହୋଇ ରେକର୍ଡ ସଂଖ୍ୟକ ଭୋଟ ପାଇଥିଲେ । ବିଜେପୁରରେ ମୁଖ୍ୟମନ୍ତ୍ରୀ ୧,୧୦,୬୦୪ ଖଣ୍ଡ ଭୋଟ ପାଇଥିଲେ । ତେବେ ଏଠାରୁ ବିଜେପିର ପ୍ରାର୍ଥୀ ହୋଇଥିବା ସନତ ଗରଡିଆଙ୍କୁ ୫୩ହଜାର ଭୋଟ ମିଳିଥିଲା । ଦୁଇ ଦୁଇଟି ନିର୍ବାଚନରେ ବଜେଡିର ଭୋଟ ହାର ବଢିଚାଲିଥିବାବେଳେ ଏଥର କିନ୍ତୁ ସବୁ ରେକର୍ଡ ଭାଙ୍ଗିବ ବୋଲି ଦଳୀୟ ଦାୟିତ୍ୱରେ ଥିବା ନେତାମାନେ ମତ ଦେଉଛନ୍ତି ।
ସେମାନଙ୍କ ମତରେ ଏଥର ବିଜେଡି ପ୍ରାର୍ଥୀ ହୋଇଥିବା ରୀତାଙ୍କ ଭୋଟ ହାର ମୁଖ୍ୟମନ୍ତ୍ରୀ ପାଇଥିବା ଭୋଟକୁ ଟପିଯିବ । ଏଥିପାଇଁ ବିଭିନ୍ନ କାରଣ ସେମାନେ ଦର୍ଶାଇଛନ୍ତି । ଏଥି ମଧ୍ୟରେ ୨୦୧୮ ବିଜେପୁର ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ଅନେକ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୨୦୧୯ ନିର୍ବାଚନରେ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ବି କାର୍ଯ୍ୟ କରିବା ଆରମ୍ଭ କରିଛି । ତେଣୁ ବିଜେଡିର ଭୋଟ ହାର ନିତିଦିନ ଭାବେ ବୃଦ୍ଧି ପାଇବ ।
ଅନ୍ୟ ପକ୍ଷରେ ବିଜେପିର ଦଳୀୟ କନ୍ଦଳରୁ ବିଜେଡି ବଡ ଧରଣର ଭୋଟ ପାଇବା ଚକ୍କରରେ ବି ରହିଛି । ଇତି ମଧ୍ୟରେ ବିଜେପି ୨୦୧୮ ଉପନିର୍ବାଚନରେ ପ୍ରାର୍ଥୀ କରିଥିବା ଅଶୋକ ପାଣିଗ୍ରାହୀ ନିଜର ଦଳ ବଳ ସହିତ ବିଜେପି ଛାଡିଛନ୍ତି । ସିଏ ବିଜେଡିକୁ ସମର୍ଥନ କରିବେ ବୋଲି ମତ ଦେବାପରେ ତାଙ୍କର ପକେଟ ଭୋଟ ବିଜେଡି ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ଅଶୋକଙ୍କ ଘରବାହୁଡା ପର୍ବ ବିଧିବଦ୍ଧ ଭାବେ ହୋଇନଥିଲେ ମଧ୍ୟ ବିଜେଡି ପାଇଁ ଯେ ଏହା ଆର୍ଶୀବାଦ ସେଥିରେ କୌଣସି ଦ୍ୱିମତ ନାହିଁ । ଅନ୍ୟ ପକ୍ଷରେ କଂଗ୍ରେସରେ ବି ଜୋରଦାର ଅନ୍ତଃ କନ୍ଦର । କଂଗ୍ରେସର ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ପଣ୍ଡାଙ୍କୁ ଗତଥରର ପ୍ରାର୍ଥୀ ରିପୁନାଥ ସେଠ ଗ୍ରହଣ କରିପାରୁ ନାହାନ୍ତି । ଏହାଛଡା କଂଗ୍ରେସପାଇଁ ପ୍ରଚାର କରିବାକୁ କୌଣସି ବଡ ନେତା ଯାଉନାହାନ୍ତି କି ଦଳର ପ୍ରଚାର ସେଭଳି ଜମୁନାହିଁ ।
ବିଗତ ଦୁଇଟି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ଉଡିଯାଇଥିବାରୁ କର୍ମୀମାନେ ଅତ୍ୟନ୍ତ ହତାଶ ଅବସ୍ଥାରେ ଅଛନ୍ତି । ତେଣୁ ସେମାନଙ୍କ ଭୋଟ ବି ବିଜେଡି ପାଖକୁ ଆସିଯିବ । ତେବେ ସବୁଠାରୁ ବଡ କଥା ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ସହଯୋଗୀମାନେ ଯେଭଳି ଦିନରାତି ଏକ କରିଛନ୍ତି ସେଥି ଯୋଗୁଁ ରୀତା ସାହୁ ବିଜେପୁରର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହେବାରେ ଲାଗିଛି
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
