Odia News Portal

ମାଲକାନଗିରିରେ ବାତ୍ୟା, ଚିନ୍ତାରେ ଚାଷୀକୁଳ

ମାଲକାନଗିରି ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇ ଦିନ ଧରି ଲାଗିରହିଥିବା ବର୍ଷା ଏବଂ ପବନ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ବିଶେଷକରି ଏମ.ଭି.-୯ ଏବଂ ଗୌଡଗୁଡ଼ା ଅଞ୍ଚଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷସାରା ଅକ୍ଳାନ୍ତ ପରିଶ୍ରମ ଓ ଋଣ-ଧାର କରି କରିଥିବା ଚାଷ ଏପରି ଭାବରେ ନଷ୍ଟ ହୋଇଯିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଗଭୀର ଚିନ୍ତା ଦେଖାଦେଇଛି। କ୍ଷେତରେ ଧାନଗୁଡ଼ିକ ଏବେ ପାଚିବା ଅବସ୍ଥାରେ ଥିବାବେଳେ ଦୁଇ ଦିନର ବର୍ଷା ଓ ପବନର ପ୍ରଭାବରେ ସୁନାର ଧାନ ଫସଲ ସବୁ ମାଟିରେ ଶୋଇପଡ଼ିଛି ଏବଂ ଜମିରେ ପାଣି ଜମି ରହିବା କାରଣରୁ ପାଚିଲା ଧାନରେ ପୋକ ମାଛି ଲାଗିବା ଆରମ୍ଭ କଲାଣି। ଗତବର୍ଷ ମଧ୍ୟ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଚାଷୀମାନେ କୌଣସି ସୁଫଳ ବା କ୍ଷତିପୂରଣ ପାଇନଥିଲେ ବୋଲି ସ୍ଥାନୀୟ ଚାଷୀ ସପନ ଦେ ଏବଂ ଅନ୍ୟମାନେ ଅଭିଯୋଗ କରିଛନ୍ତି। ତେବେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଏମ.ଭି.-୯ ଓ ଗୌଡଗୁଡା ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ରାତିର ବର୍ଷା ଓ ପବନରେ ଯେଉଁ ଧାନଗୁଡ଼ିକ ଅଧିକ ଦିନର ଏବଂ ନିମ୍ନ ଅଞ୍ଚଳ (ଲୋ-ଲ୍ୟାଣ୍ଡ)ରେ ଥିଲା, ସେଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକର ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ତୁରନ୍ତ ପ୍ରତ୍ୟେକ ପଞ୍ଚାୟତ ଓ ଚାଷୀଙ୍କ ଜମି ବୁଲି ପ୍ରାଥମିକ ଆକଳନ କରି ଆଜି ହିଁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ