ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି ଦଳର ଅନେକ ତୁଙ୍ଗ ଓ ଯୁବନେତା । ତୁଙ୍ଗ ନେତାମାନେ ଭିନ୍ନ ଭିନ୍ନ ବ୍ଲକ୍ର ଦାୟିତ୍ୱ ନେଇଥିବା ବେଳେ ଯୁବନେତାଙ୍କ କାନ୍ଧରେ ପଡ଼ିଛି ପଞ୍ଚାୟତ ଓ ଗାଁ ଦାୟିତ୍ୱ । ଏହି ଦାୟିତ୍ୱକୁ ମଧ୍ୟ ସେମାନେ ନିଷ୍ଠା ଓ ଦକ୍ଷତାର ସହ ତୁଲାଉଥିବା ଦେଖିବାକୁ ମିଳିଛି ।
ପ୍ରଚାରରେ ସାମିଲ ହୋଇଥିବା ଏହି ଯୁବନେତାଙ୍କ ମଧ୍ୟରେ ଅଛନ୍ତି ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ଏହି ଦୁଇ ନେତା ନେତୃତ୍ୱଙ୍କ ନିର୍ଦ୍ଦେଶକୁ ପାଳନ କରି ପ୍ରଚାର ଚଳାଇଛନ୍ତି । କେତେବେଳେ ବାଇକ୍ରେ ତ ଆଉ କେତେବେଳେ ଚାଲି ଚାଲି ଗାଁ ଗାଁ ବୁଲି ଲୋକଙ୍କୁ ବିଜେଡିର ବିଭିନ୍ନ ବିକାଶମୂଳକ ଯୋଜନା ଓ ଦଳର ଆଭିମୁଖ୍ୟ ସମ୍ପର୍କରେ ବୁଝାଉଛନ୍ତି ।
ଏହି ନେତାମାନେ ଗାଁ ଦାଣ୍ଡରେ ଲୋକଙ୍କ ସମସ୍ୟା ଓ ସରକାର ଏହିସବୁ ସମସ୍ୟାର ସମାଧାନ ନେଇ ଆରମ୍ଭ କରିଥିବା ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା କରୁଛନ୍ତି । ନିର୍ବାଚନ ଯଦିଓ ଏକପ୍ରକାର ବିଜେଡି ସପକ୍ଷରେ ଯାଉଥିବା ଦେଖିବାକୁ ମିଳୁଛି ତଥାପି ଦୈନନ୍ଦିନ ଜୀବନରେ ବିଜେପୁରବାସୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଏବେବି ରହିଛି ।ବିଜେପୁର ପାଇଁ ଦେଢବର୍ଷ ମଧ୍ୟରେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା ହାତକୁ ନେଇଛନ୍ତି । ଏହିସବୁ ଯୋଜନାର ଶତପ୍ରତିଶତ ସୁଫଳ ଲୋକଙ୍କ ପାଖରେ କିଭଳି ପହଞ୍ଚାଯିବ ସେ ନେଇ ହୋଇଥିବା ରୋଡ୍ମ୍ୟାପ୍ ସମ୍ପର୍କରେ ଯୁବନେତାମାନେ ଲୋକଙ୍କୁ ବୁଝାଇ ଦଳ ସପକ୍ଷରେ ଜନମତ ସୃଷ୍ଟି କରୁଛନ୍ତି ।
