ଭୁବନେଶ୍ବର : ଆଜି ବିଜେପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାତ୍ର ୧୮ ମାସର ବ୍ୟବଧାନରେ ବରଗଡ଼ ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀ ତିନୋଟି ନିର୍ବାଚନର ସମ୍ମୁଖୀନ ହେଲାଣି । ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ ଫେବୃଆରୀ ମାସରେ ଉପନିର୍ବାଚନ ହୋଇଥିଲା ।
୨୦୧୯ରେ ସାଧାରଣ ନିର୍ବାଚନ ଏବଂ ଏବେ ଆଉ ଏକ ଉପନିର୍ବାଚନରେ ନିଜ ପ୍ରତିନିଧି ବାଛିବେ ବିଜେପୁରବାସୀ । ୨୦୧୮ ଉପନିର୍ବାଚନ ସମୟରେ ଏହି ଆସନର ଜିତାପଟକୁ ନେଇ ଯେତିକି ଉତ୍ସାହ, ଉଦ୍ଦୀପନା ଥିଲା ଏହି ଉପନିର୍ବାଚନରେ ତାହା ଦେଖିବାକୁ ମିଳୁନାହିଁ । ସୁବଳ ସାହୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଗାତାର ତିନି ଥର ଏହି ଆସନକୁ ନିଜ ଦଖଲରେ ରଖିଥିଲେ । ପଶ୍ଚିିମ ଓଡ଼ିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏଠାରେ କଂଗ୍ରେସର ଗଡ଼ ଭାଙ୍ଗିବାକୁ ବିଫଳ ହୋଇଥିଲେ ।
ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡ଼ି ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରି ଯେଉଁ ରଣନୀତି ରଚିଲା ତାହା ଉଭୟ କଂଗ୍ରେସ ଓ ବିଜେପି ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ୨୦୧୮ ଉପନିର୍ବାଚନରେ କଂଗ୍ରେସ କେବଳ ନିଜ ଗଡ଼ ରକ୍ଷା କରିବାରେ ଫେଲ୍ ମାରିଲାନି, ଅମାନତ ମଧ୍ୟ ରକ୍ଷା କରିପାରିଲାନି । ବିଜେପି ପଶ୍ଚିମ ଓଡ଼ିଶାରେ ନିଜର ଉପସ୍ଥିତି ଜାହିର କରିବାକୁ ଏହି ଉପନିର୍ବାଚନ ଜରିଆରେ ଯେତେ ଚେଷ୍ଟା କରିଥିଲେ ବି ଭୋଟରଙ୍କୁ ପ୍ରଭାବିତ କରିପାରିଲାନାହିଁ । ବରଂ ଉପନିର୍ବାଚନରେ ବିଜେଡିର ବିଜୟ ପରେ ସେଠାରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା ।
ବିଜେପୁର ବିକାଶର ଧାରାକୁ ଦେଖି ପଶ୍ଚିମ ଓଡ଼ିଶାବାସୀ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଞ୍ଚଳରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ । ସେହି ଅନୁରୋଧ ରକ୍ଷା କରି ନବୀନ ଗତ ସାଧାରଣ ନିର୍ବାଚନରେ ଉଭୟ ହିଞ୍ଜିଳି ଓ ବିଜେପୁରରୁ ଜିତିବା ପରେ ନିଜର ପାରମ୍ପରିକ ଆସନକୁ ରଖି ଏହି ଆସନରୁ ଇସ୍ତଫା ଦେଇଥିଲେ । ଏବେ ଏହି ଆସନରେ ପୁଣି ଥରେ ଉପନିର୍ବାଚନ ହେଉଛି ଏବଂ ବିଜେପୁରବାସୀ ଗତ ୧୮ ମାସର ବିକାଶର ଧାରାକୁ ଦେଖି ନିଜ ବିଧାୟକଙ୍କୁ ବାଛିବେ । ଏଥିପାଇଁ ପ୍ରାର୍ଥୀ ହୋଇଥିବା ତିନି ପ୍ରମୁଖ ନେତାଙ୍କ ମଧ୍ୟରେ ଆଶା ଓ ଆଶଙ୍କା ଭରି ରହିଛି ।
ବିଜେପୁର ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍ ରେ ଭୋଟ୍ ଗ୍ରହଣ ହେବ । ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଭୋଟର ଏବଂ ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର ରହିଛନ୍ତି । ଜଣେ ମହିଳା ପ୍ରାର୍ଥୀ ଏବଂ ୪ ଜଣ ପୁରୁଷ ପ୍ରାର୍ଥୀ ମୋଟ୍ ୫ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ । ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ୧୨୯ ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି ।
ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମୋଟ ୧୮୯୫ଜଣ କର୍ମ·ରୀଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରେ ନିୟୋଜିତ କରାଯାଇଛି । ନିର୍ବାଚନମଣ୍ଡଳୀରେ ୬ଟି ବୁଥ୍ ନକ୍ସଲ ପ୍ରବଣ ଅଂଚଳରେ ହୋଇଥିବାବେଳେ ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ଓ ୨୮ଟି ବୁଥରେ ୱେବକାଷ୍ଟିଙ୍ଗ୍ କରାଯିବ ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଛି । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଅପନ୍ୟପକ୍ଷରେ ରାଜ୍ୟ ସରକାର ବିଜେପୁର ଉପନିର୍ବାଚନ ପାଇଁ ୨୧ତାରିଖକୁ ସବୈତନିକ ଛୁଟି ଘୋଷଣା କରିଛନ୍ତି ।
