ଭୁବନେଶ୍ୱର : ନୂଆ ବର୍ଷରେ ହୋଇପାରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳ ବଦଳ । ୨୦୨୦ ଆରମ୍ଭରେ ରାଜ୍ୟବାସୀ ନୂଆ ମନ୍ତ୍ରୀମାନଙ୍କୁ ଦେଖିବେ ବୋଲି କ୍ଷମତା ଅଳିନ୍ଦରେ ଆଲୋଚନା ଜୋର ଧରିଛି । ବିଧାନସଭା ସରିବା ପରେ ପରେ ଏଭଳି ଆଲୋଚନା ଆରମ୍ଭ ହୋଇଥିବାବେଳେ ମନ୍ତ୍ରୀମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ତାହାକୁ ନେଇ ବି ଅଙ୍କକଷା ଆରମ୍ଭ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମପାଳିରେ କ୍ଷମତାକୁ ଆସିବାପରେ ଗଠନ କରିଥିବା ମନ୍ତ୍ରୀମଣ୍ଡଳରେ ବର୍ତ୍ତମାନ ସୁଦ୍ଧା କୌଣସି ଅଦଳ ବଦଳ ହୋଇନାହିଁ । ମନ୍ତ୍ରୀମାନେ ପ୍ରତିମାସରେ ସେମାନଙ୍କର ରିପୋର୍ଟକାର୍ଡ ପ୍ରଦାନ କରୁଥିବାବେଳେ ଏହାକୁ ଟିକିନିଖି କରି ତର୍ଜମା କରାଯାଉଛି । ତେବେ ମନ୍ତ୍ରୀମଣ୍ଡଳ ଇତି ମଧ୍ୟରେ ଦୁଇ ଦୁଇଟି ଅଧିବେଶନକୁ ସାମ୍ନା କରିଥିବାବେଳେ କେତେକ ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି କେଉଁ କେଉଁ ମନ୍ତ୍ରୀମାନେ ନିଜ ନିଜ ବିଭାଗ ଉପରେ କର୍ତ୍ତୃତ୍ୱ ଜାହିର କରିପାରୁନାହାନ୍ତି ତାହାକୁ ନେଇ କିଛିଦିନ ହେଲା ରାଜ୍ୟରେ ଆଲୋଚନା ଜୋର ଧରିଥିବାବେଳେ ଏବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଜୋର ଧରିଛି ।
ପଞ୍ଚମପାଳିର ସରକାର ଗଠନ ପରେ ପରେ ରାଜ୍ୟରେ ଦୁଇ ଦୁଇଟି ଉପନିର୍ବାଚନ ବି ହୋଇଗଲାଣି । ପାଟକୁରା ଓ ବିଜେପୁର ଭଳି ସମ୍ବେଦନଶୀଳ ଆସନରେ ମନ୍ତ୍ରୀମଣ୍ଡଳ ବାହାରେ ଥିବା କିଛି ଦଳୀୟ ନେତା ସଫଳ ଗୋଟି ଚାଳନା କରିବା ଫଳରେ ବିଜେଡି କେବଳ ଜିତିନାହିଁ, ରେକର୍ଡ ପରିମାଣର ଭୋଟ ବି ପାଇଛି । ବିଜେପୁରରେ ତ ବିଜେଡି ପାର୍ଥୀ ରୀତା ସାହୁ ଓଡିଶାରେ ନୂଆ ରେକର୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଆସନ ଛାଡିବାପରେ ବିଜେଡି ଏଠାରୁ ପୁଣିଥରେ ରୀତାଙ୍କୁ ସୁଯୋଗ ଦେଇଥିଲା । ସେହିଭଳି ପାଟକୁରା ଆସନରେ ବେଦପ୍ରକାଶ ଅଗ୍ରୱାଲଙ୍କ ଅକାଳ ବିୟୋଗ ପରେ ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିପୁଳ ଭୋଟରେ ଜିଣିଛନ୍ତି । ଯଦିଓ ବିଜେଡି ପ୍ରାର୍ଥୀମାନେ ରେକର୍ଡ ପରିମାଣରେ ଭୋଟରେ ଜିଣିଛନ୍ତି ତେବେ ଏହା ପଛରେ ଦଳର କିଛି ଦକ୍ଷ ଯୁବ ସଂଗଠକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
କାରଣ ସେମାନଙ୍କର ସଫଳ ରଣନୀତି ହିଁ ବିଜେପିକୁ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପରଦା ପଛରେ ରହି ଗୋଟି ଚଳାଉଥିବା ଏହି ନେତାମାନେ ତୁରନ୍ତ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଉଚିତ୍ ବୋଲି
ଏବେ ଖୋଦ ଦଳୀୟ ମହଲରେ ମତପ୍ରକାଶ ପାଉଛି । ଇତି ମଧ୍ୟରେ ଦଳ ପକ୍ଷରୁ କିଛି ଯୁବ ନେତାଙ୍କୁ ବିଭିନ୍ନ ସାଂଗଠନିକ ପଦ ପଦବୀରେ ଥଇଥାନ କରାଯାଇଥିବାବେଳେ ଏବେ ଦକ୍ଷ ଯୁବ ଚେହେରାଙ୍କ ପାଇଁ ମନ୍ତ୍ରୀମଣ୍ଡଳ ହିଁ ଏକମାତ୍ର ସ୍ଥାନ ବୋଲି କୁହାଯାଉଛି । ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ଯୁବକଙ୍କ ସହିତ କିଛି ପୁରୁଖା ନେତା ବି କ୍ଷମତାକୁ ଫେରିବା ନେଇ ଆଲୋଚନା ହେଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନର ମନ୍ତ୍ରୀମଣ୍ଡଳରେ ଥିବା କିଛି ମନ୍ତ୍ରୀ ବିଭିନ୍ନ ଅଭିଯୋଗରେ ଛନ୍ଦିହୋଇ ଗଲେଣି ।
ସମ୍ପତ୍ତି ହାତେଇବା ଠାରୁ ଆରମ୍ଭକରି ଅନ୍ୟ କେତେକ ଘଟଣାରେ ବଦନାମ ହେବାରେ ଲାଗିଛନ୍ତି । ଆଗାମୀ ଦିନରେ ଏମାନେ ସରକାର ଓ ଦଳ ପାଇଁ ବିପଦ ହେବା କିଛି ନୂଆ କଥା ନୁହେଁ । ତେଣୁ ବେଳ ଥାଉ ଥାଉ ଏମାନଙ୍କ ସ୍ଥାନରେ ସ୍ୱଚ୍ଛ ଚେହେରାଙ୍କୁ ସାମିଲ କରିବାପାଇଁ ଦଳୀୟ ନେତାମାନେ ମତ ଦେଉଛନ୍ତି ।
