Odia News Portal

ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ ହୋଇଛି । ଦୁର୍ବୃତଙ୍କ ଗୁଳିମାଡରେ ଶିଶୁରୋଗ ବିଶେଷଜ୍ଞ ମାନସ ରଂଜନ ଦାସ ଓ ମେଡିସିନ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଖୋର୍ଦ୍ଧରେ ଥିବା ଏକ ମେଡିସିନ ଷ୍ଟୋରରେ ଥିବା କ୍ଲିନିକରେ ଡାକ୍ତର ମାନସ ଦାସ ରୋଗୀ ଦେଖୁଥିଲେ । ପାଖରେ ମେଡିସିନ ଷ୍ଟୋର ମାଲିକ କୃଷ୍ଣଚନ୍ଦ୍ର ମଧ୍ୟ ବସିଥିଲେ ।

ଏହି ସମୟରେ ଦୁଇଜଣ ଯୁବକ ମୁହଁରେ ମୁଖା ପିନ୍ଧି କ୍ଲିନିକକୁ ଆସିଥିଲେ । ଡାକ୍ତରଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସେ ପ୍ରତିବାଦ କରିବାରୁ ସେମାନେ ହଠାତ ଗୁଳିମାଡ କରିଥିଲେ । କୃଷ୍ଣଚନ୍ଦ୍ର ସେମାନଙ୍କୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗୁଳିମାଡ କରିଥିଲେ । ଦୁହେଁ ରକ୍ତାକ୍ତ ଅବସ୍ଥାରେ ଦୋକାନରେ ପଡିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।