ଆମେରିକାର ରାଜନୀତିରେ ବଢ଼ୁଛି ଟ୍ରମ୍ପଙ୍କ ଚିନ୍ତା। ମିଡଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ଏବଂ ଯୁଦ୍ଧକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ମଧ୍ୟରେ ଏବେ ଇରାନକୁ ନେଇ ଆହୁରି ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଓଭାଲ୍ ଅଫିସରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଇରାନକୁ ଖୋଲାଖୋଲି ସାମରିକ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଆମେରିକା ଏବେ ବି ଇରାନ ବିରୋଧରେ ଆହୁରି କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ। ଇରାନର ଅବଶିଷ୍ଟ ସାମରିକ ଶକ୍ତିକୁ ଧ୍ୱଂସ କରିବା ତାଙ୍କର ଇଚ୍ଛା ନୁହେଁ, କିନ୍ତୁ ପରିସ୍ଥିତି ଦାବି କଲେ ଆମେରିକା ଏଥିରୁ ପଛକୁ ହଟିବ ନାହିଁ। ଆଗକୁ କ’ଣ ହେବ, ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ।
କେବଳ ସେତିକି ନୁହେଁ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ମଧ୍ୟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି। ଆମେରିକାର ଅନୁମତି ବିନା ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମରେ ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ଦାବି କରିଛନ୍ତି। ଏପଟେ ଯୁଦ୍ଧର ପ୍ରଭାବ ଆମେରିକାର ଅର୍ଥନୀତି ଉପରେ ମଧ୍ୟ ପଡ଼ିବାରେ ଲାଗିଛି। ଦୀର୍ଘ ୮ ମାସ ଧରି ଚାଲିଥିବା ଯୁଦ୍ଧ ଯୋଗୁଁ ତୈଳ ଦର ବୃଦ୍ଧି ପାଇଛି। ଏହାର ପ୍ରଭାବ ସାଧାରଣ ଆମେରିକୀୟଙ୍କ ଜୀବନଯାପନ ଉପରେ ପଡ଼ିଥିବା ବେଳେ ନିର୍ବାଚନରେ ମଧ୍ୟ ଏହା ଏକ ବଡ଼ ପ୍ରସଙ୍ଗ ପାଲଟିଛି। ରାଜନୈତିକ ଚାପ ବଢ଼ୁଥିଲେ ମଧ୍ୟ ଟ୍ରମ୍ପ ସାମରିକ ବିକଳ୍ପକୁ ଖୋଲା ରଖିଛନ୍ତି।
ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ଇରାନ ମଧ୍ୟ ନିଜର ଉଦ୍ୟମ ଜାରି ରଖିଛି। କାତାର ମାଧ୍ୟମରେ ଆମେରିକାକୁ ଏକ ନୂଆ ପରମାଣୁ ପ୍ରସ୍ତାବ ପଠାଇଛି ତେହେରାନ। କିନ୍ତୁ ଆଲୋଚନା ଆଗକୁ ବଢ଼ିବା ପାଇଁ ଆମେରିକା ପ୍ରଥମେ ନିଜର ଆର୍ଥିକ ପ୍ରତିବନ୍ଧକ ହଟାଇବା, ଜବତ ସମ୍ପତ୍ତି ଫେରାଇବା ଏବଂ ଯୁଦ୍ଧ କ୍ଷତିପୂରଣ ଦେବାକୁ ହେବ ବୋଲି ଇରାନ ସର୍ତ୍ତ ରଖିଛି। ସେପଟେ ହୋର୍ମୁଜ୍ ପ୍ରଣାଳୀରେ ତୈଳ ଟ୍ୟାଙ୍କର୍ ଉପରେ ବିସ୍ଫୋରଣ ଏବଂ ଲୋହିତ ସାଗରରେ ୟେମେନର ହୁତି ବିଦ୍ରୋହୀଙ୍କ ଜାହାଜ ଉପରେ ଆକ୍ରମଣ ଯୋଗୁଁ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ବର୍ତ୍ତମାନ ଇରାନର ନୂଆ ପ୍ରସ୍ତାବକୁ ୱାଶିଂଟନ୍ ସମୀକ୍ଷା କରୁଥିବା ବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନା ଶାନ୍ତି, ତାହାକୁ ନେଇ ବଢ଼ିଛି ଅନିଶ୍ଚିତତା। ଟ୍ରମ୍ପଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଏବଂ ଇରାନ ସହ ଏହି ଉତ୍ତେଜନା କେଉଁ ମୋଡ଼ ନେବ, ଏବେ ସାରା ବିଶ୍ୱର ନଜର ତା’ ଉପରେ ରହିଛି।
