ଭୁବନେଶ୍ୱର : ଆଧାର ସଂଯୋଗ ଦାୟିତ୍ୱ ନେଇଥିବା କମ୍ପାନୀ ଭଲ ଦୁଇ ପଇସା କମେଇଲେ । ସେମାନଙ୍କୁ କାମ ଦେଇଥିବା ବାବୁମାନେ ବିଦେଶ ବୁଲିଲେ । ହେଲେ ଆଧାର ସଂଯୋଗ ଏମିତି କରିଛନ୍ତି ଏବେ ତାହାକୁ ନେଇ ଯୋଗାଣ ବିଭାଗର କର୍ମଚାରୀମାନେ ନାକେଦମ ହେଲେଣି । କାହାର ସାଙ୍ଗିଆ ଭୁଲ୍ ତ ଆଉ କାହାର ବାପ ନାଁ । ଆଧାର ସହ ରାସନକାର୍ଡର ତାଳ ମେଳ ରହୁନଥିବାରୁ ଅନେକ ଗରିବଙ୍କ ରାସନ ବନ୍ଦ । ଘଟଣାଟି ଘଟିଛି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ । ଏହି ବିଭାଗ ବାଣ୍ଟିଥିବା ରେସନକାର୍ଡ ସହିତ ଆଧାର ସଂଯୋଗ ଲାଗି ୨୦୧୨-୧୩ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ସେତେବେଳେ ସରକାରୀ ସ୍ତରରେ କର୍ମଚାରୀ ଅଭାବ ଯୋଗୁଁ କାମକୁ କିଛି ଘରୋଇ ସଂସ୍ଥାକୁ ଦିଆଯାଇଥିଲା । ରାଜ୍ୟ ସାରାର ଆଧାର ସଂଯୋଗ କାମ ନେଇଥିବା କମ୍ପାନୀମାନେ ଭଲ ଦୁଇ ପଇସା କମାଇଲେ । ଆଧାର ସଂଯୋଗ ସାରି ପଇସା ନେଇଗଲେ । ହେଲେ କିଭଳି ସଂଯୋଗ କଲେ ତାହାକୁ ଦେଖିବାକୁ କେହି ନଥିଲେ । ଏହା ଉପରେ କିଛି ଖୋଳତାଡ ନହେବାରୁ ଯେମିତି ଚାଲିବା କଥା ସେମିତି ଚାଲିଥିଲା । ନାଁ କୁ କେବଳ ଆଧାର ସଂଯୋଗ । କାମ ପାଇଥିବା ସଂସ୍ଥା ଓ କାମ ଦେଇଥିବା ସରକାରୀ ବାବୁ ସମସ୍ତେ ମାଲେମାଲ ହେଲେ
ା କିଛି ବାବୁ ଏହି ମଉକାରେ ବିଦେଶରେ ଫୂର୍ତ୍ତି ବି କଲେ ।
ହେଲେ ଏବେ କେନ୍ଦ୍ର ସରକାର ଆଧାର ସଂଯୋଗକୁ କଡାକଡି କରିବା ସହିତ ଆଧାର ସୂଚନା ସହିତ ରାସନକାର୍ଡ
ସୂଚନା ମେଳ ଖାଉନଥିବା କାର୍ଡ ଗୁଡିକୁ ବନ୍ଦ ପାଇଁ କହିବାରୁ ସରକାରଙ୍କ ଅକଲ ଗୁଡୁମ । ଅଧିକାଂଶ ସ୍ଥାନରେ ରାସନକାର୍ଡ ସହିତ ଆଧାରକାର୍ଡର ତାଳବେଳ ନାହିଁ । ଏବେ ଆଉ ଶୁଣିବାକୁ କେହି ନାହିଁ । କାରଣ ୬ବର୍ଷ ତଳେ କାମ କରିଥିବା ସଂସ୍ଥାକୁ ଖୋଜି ପାଇବା କଷ୍ଟକର । ପାଇଲେ ବି କରିବେ ବା କ’ଣ । ଏଣେ ତାଳ ମେଳ ଅଭାବରୁ ହଜାର ହଜାର ରାସନକାର୍ଡ ଅଚଳ ହେବାକୁ ବସିଲାଣ । ତେଣୁ ଏବେ ଯୋଗାଣ ବିଭାଗ ତଳିଆ ଅଫିସରଙ୍କ ଉପରେ ରାଗ ଶୁଝାଉଛନ୍ତି । ଯେମିତି ହେଲେ ଦୁଇମାସ ଭିତରେ କାମସାରିବାକୁ ବାରମ୍ବାର କହୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଯେତେ ପାରୁଛ ଠିକା କର୍ମଚାରୀ ରଖି ଆଧାର ସଂଯୋଗ କାମ ତୁରନ୍ତ ସାରିବାପାଇଁ ନିର୍ଦ୍ଦେଶ ଯାଇଛି ।
ଏଭଳି ନିର୍ଦ୍ଦେଶ ପାଇଲାପରେ ତଳ ସ୍ତରରେ ଯୋଗାଣ ଅଧିକାରୀମାନେ ଜଣଙ୍କ ପରେ ଜଣେ ଠିକା କର୍ମଚାରୀଙ୍କୁ କାମରେ ଲଗାଉଛନ୍ତି । ହେଲେ କାମ ସରୁନାହିଁ । କାରଣ ନୂଆ ଆଧାର ସଂଯୋଗ ପାଇଁ ବେଳ ମିଳୁନଥିବାବେଳେ ପୁରୁଣାକୁ ସଜାଡିବା କଷ୍ଟକର ହୋଇ ପଡୁଛି । କିଛି ଯୋଗାଣ ବାବୁଙ୍କ କହିବାକଥା ଯେ ୬ବର୍ଷ ତଳେ ଆଧାର ସଂଯୋଗ ନାଁରେ କିଛି ବଡ ବାବୁ କ୍ରିମ୍ ଖାଇ ପଳାଇଲେ । ଏବେ ଆମେ ବୋଝ ମୁଣ୍ଡାଉଛୁ । ଏବେ ଉପରୁ ଯେମିତି ଚାପ ପଡୁଛି ସେତେବେଳ ଯଦି ଏହାର କାଣିଚାଏ ତଦାରଖ କରିଥାନ୍ତେ ଏବେ ଦୋହରା ତଣ୍ଡ ଗଣିବାକୁ ପଡିନଥାନ୍ତା ।
ଏଭଳି ସ୍ଥିତିରେ କିନ୍ତୁ ତଳ ସ୍ତରରେ ସାଧାରଣ ଖାଉଟି ହନ୍ତସନ୍ତ ହେବାର ଆଶଙ୍କା ପ୍ରକାଶ ପାଉଛି । କାରଣ ୬ବର୍ଷ ତଳେ ଆଧାର ସଂଯୋଗ ହୋଇଥିବା ଅଧିକାଂଶ ରାସନକାର୍ଡ ସହିତ ଆଧାରର ତାଳମେଳ ରହୁନାହିଁ । ଯଦି ଏହା ସଂଶୋଧନ ନହୁଏ ତେବେ କାର୍ଡ ରଦ୍ଦ ହେବା ଟା ଥୟ ।
