Odia News Portal

ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ଏବେ ମୋ ସରକାରରେ ସାମିଲ

ଭୁବନେଶ୍ୱର : ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ । ହିିତାଧିକାରୀଙ୍କ ସହ କିପରି ଭଲ ବ୍ୟବହାର କରାଯିବ ତାକୁ ପ୍ରାଥମିକତା ଦିଆଯିବ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ବିଭିନ୍ନ ସମୟରେ ଲୋକଙ୍କ ଫିଡବ୍ୟାକ ନେଉଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ହିତାଧିକାରୀଙ୍କ ସନ୍ତୋଷ ଯୋଜନାର ସବୁଠୁ ବଡ଼ ସଫଳତା ।

ଥାନା, ଡାକ୍ତରଖାନା ଓ କୃଷି ବିଭାଗ ପରେ ଏବେ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ। ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ ସରକାର । ଲୋକସେବା ଭବନରୁ ଭିଡିଓ କନଫେରେନ୍ସିରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମମତା ଯୋଜନା ସାରା ଦେଶରେ ମଡେଲ ପାଲଟିଛି । ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠୁ ବଡ଼ ସଫଳତା। ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶୟ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।

ବିଭିନ୍ନ ଅଙ୍ଗନବାଡ଼ିକୁ ଛତୁଆ ଯୋଗାଣ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ଫାଇଭ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି। ଏହା ସହ ମହିଳା ଓ ଶିଶୁବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ମୋ ସରକାର ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ମୋ ସରକାରରେ ଗୋଟିଏ ପରେ ଗୋଟିଏ ବିଭାଗକୁ ସାମିଲ କରାଯାଉଥିବା ବେଳେ ଲୋକମାନେ ଏହାର ବେଶ ସୁଫଳ ପାଉଛନ୍ତି ।