Odia News Portal

ଜିଲ୍ଲା ନେତାଙ୍କୁ ଟପିଗଲେ ଜିଲ୍ଲାପାଳ

କେନ୍ଦ୍ରାପଡା : ଦୁଇ ଦଶନ୍ଧି ଧରି ଶାସକଦଳରେ ଥିବା ନେତାମାନେ ଜିଲ୍ଲାରେ ଯାହା କରିପାରିନଥିଲେ ଦୁଇ ବର୍ଷରେ ଜିଲ୍ଲା ପ୍ରଶାସନର ମଙ୍ଗ ଧରିଥିବା ଜିଲ୍ଲାପାଳମାନେ ତାହାଠାରୁ ଅଧିକ କରି ଦେଖାଇଲେ । ରଘୁଜୀଙ୍କ ଠାରୁ ଆରମ୍ଭକରି ସମର୍ଥଙ୍କ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ନେଇ ଜିଲ୍ଲାରେ ପ୍ରଶଂସାର ସୁଅ ଛୁଟିଥିବାବେଳେ ରାଜନେତାଙ୍କ କାର୍ଯ୍ୟକଳାପକୁ ନେଇ ଲୋକେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଜିଲ୍ଲାରେ ହେଉଥିବା ଆଲୋଚନା ଅନୁଯାୟୀ ରଘୁଜୀ ଜିଲ୍ଲାପାଳ ଥିବା ସମୟରେ ସାଧାରଣ ଲୋକଙ୍କ ସହିତ ମିଶୁଥିଲୋ  ଯୁବ ଅଫିସର ଭାବେ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୋଇଥିଲେ । ତାଙ୍କ ପରେ ଆସିଲେ ବରିଷ୍ଠ ପ୍ରଶାସକ ଦାଶରଥୀ ଶତପଥୀ । ସ୍ୱଳ୍ପ ସମୟର ରହଣି ସମୟରେ ଜିଲ୍ଲାରେ ମଧ୍ୟ ସେ ଲୋକଙ୍କ ନିକଟତର ହୋଇଥିଲେ ।
ତେବେ ସମସ୍ତଙ୍କୁ ଟପିଯାଇଛନ୍ତି ବର୍ତ୍ତମାନର ଜିଲ୍ଲାପାଳ ସମର୍ଥ ବର୍ମା । କେନ୍ଦ୍ରାପଡାର ବିକାଶ ପାଇଁ ଯେ ସେ ସମର୍ଥ ତାହା ପ୍ରମାଣ କରି ଦେଖାଇ ସାରିଲେଣି । ସହରର ଲୋକଙ୍କ ମନକୁ ଛୁଇଁଲା ଭଳି ବିଶାଳ ପାର୍କ ହେଉ କିମ୍ବା ଦୁଇ କୋଟି ଟଙ୍କାରେ ଆଲୋକୀକରଣ ହେଉ ସବୁଥିରେ ରହିଛି ସମର୍ଥଙ୍କ ସାମର୍ଥ୍ୟ । ଜିଲ୍ଲାପାଳ ଭାବେ ଶ୍ରୀ ବର୍ମା ଏବେ ଲୋକଙ୍କ ନିକଟତର ହେଉଛନ୍ତି । ଏଥିପାଇଁ ଜିଲ୍ଲା ସାରା ଘୂରି ବୁଲୁଛନ୍ତି ସମର୍ଥ ।
ଜିଲ୍ଲାପାଳ ବୁଲିବା ଯୋଗୁଁ ପ୍ରଶାସନର ତଳ ସ୍ତରରେ ଥିବା କର୍ମଚାରୀମାନେ ବି ଚଳ ଚଞ୍ଚଳ ହୋଇ ପଡିଛନ୍ତି । ଡାକ୍ତରଖାନାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଜିଲ୍ଲାପାଳ । ରାଜ୍ୟ ସରକାର ସ୍ୱାସ୍ୟ୍ଥ ବିଭାଗରେ ପ୍ରଥମେ ମୋ ସରକାର କାର୍ଯ୍ୟକାରୀ କରିଥିବାବେଳେ କେନ୍ଦ୍ରାପଡାବାସୀ କିଭଳି ଏଥିରୁ ସୁଫଳ ପାଇବେ ସେଥିପାଇଁ ଜିଲ୍ଲାପାଳ ଲାଗି ପଡିଛନ୍ତି ।
ତାଙ୍କର ସବୁଠାରୁ ବଡ ଅବଦାନ ହେଉଛି ଗୋବରୀ ନଈ ଟେଣ୍ଡର । ଯାହା ଦୀର୍ଘଦିନ ଧରି ହୋଇପାରୁନଥିଲା ତାହାକୁ ସମର୍ଥ କରି ଦେଖାଇଛନ୍ତି । ଏଥି ସହିତ ଭିତରକନିକା ରାସ୍ତାରେ ଆଲୋକିକରଣ କରିବାପାଇଁ ସେ ମଧ୍ୟ ଅଗ୍ରାଧିକାର ଦେଉଛନ୍ତି । ଜିଲ୍ଲାପାଳମାନେ କେନ୍ଦ୍ରାପଡାର ବିକାଶ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରି ଲୋକଙ୍କ ଆସ୍ଥାଭାଜନ ହେବାପରେ ସାଧାରଣରେ ଏବେ ସ୍ଥାନୀୟ ନେତାଙ୍କ କାର୍ଯ୍ୟକଳାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ମବୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦ
ପଦବୀ ସହିତ ଦଳରେ ମଧ୍ୟ ଦବ୍‍ଦବା ବଜାୟ ରଖିଥିବା ଜିଲ୍ଲାର ନେତାମାନେ ଯାହା କରିପାରି ନଥିଲେ ତାହା ଜିଲ୍ଲାପାଳମାନେ କିଭଳି ପାରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହେଲାଣି ।
ଲୋକେ ଏବେ ଧିରେ ଧିରେ ଜିଲ୍ଲାପ୍ରଶାସନ ଉପରେ ଆସ୍ଥା ପ୍ରକଟ କରିବା ଫଳରେ ଉନ୍ନୟନ କାର୍ଯ୍ୟର ଗତି ତ୍ୱରାନ୍ୱିତ ହେଉଥିବା ଲକ୍ଷ୍ୟ କରାଯାଉଛି ।