Odia News Portal

ଆଣିଥିଲେ ଅପରାଜିତା : ଛାଡୁ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ମାମଲା ବୋଝ ହ୍ରାସରେ ସାହାଯ୍ୟ ପାଇଁ ତକ୍ରାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ ଚାରିଜଣ ହାଇସ୍କୁଲ କିରାଣୀଙ୍କୁ ଆଣି ସଚିବାଳୟରେ ବସାଇଥିଲେ । ଏମାନେ ମାମଲା ହ୍ରାସ ପାଇଁ ହେଉଥିବା କସରତରେ ବିଭାଗୀୟ ଅଧିକାରୀଙ୍କୁ ସାହାଯ୍ୟ କଲେ । ମାମଲା ବୋଝ କମିବାପରେ ଏମାନଙ୍କୁ ବିଦ୍ୟାଳୟକୁ ଫେରାଇବାପାଇଁ ନିର୍ଦ୍ଦେଶ ଗଲା । ତିନି ଜଣ ଫେରିଗଲେ । ହେଲେ ପ୍ରତାପ ଶାସନ ବାଳକ ହାଇସ୍କୁଲର କିରାଣୀ କିନ୍ତୁ ଫେରିଲେ ନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ବି ତାଙ୍କୁ ଫେରାଇବାରେ ଆଗ୍ରହୀ ହେଲେ ନାହିଁ । ଫଳ ସ୍ୱରୂପ ଲୋକସେବାଭବନରେ ହଜାରେରୁ ଅଧିକ ଏଏସ୍‍ଓ ନିଯୁକ୍ତି ପରେ ମଧ୍ୟ ଜଣେ ହାଇସ୍କୁଲ କିରାଣୀ ବିଭାଗରେ ବସି କାମ କରୁଛନ୍ତି । ସଚିବାଳୟ ସେବା କ୍ୟାଡରର ନହୋଇ ମଧ୍ୟ କାହା ପାଇଁ ବିଭାଗରେ କି କାର୍ଯ୍ୟ କରୁଛନ୍ତି ଓ ତାଙ୍କୁ କିଏ ସୁରକ୍ଷା ଦେଉଛି ତାହାକୁ ନେଇ ଏବେ ଲୋକସେବା ଭବନରେ ଚର୍ଚ୍ଚା ଜୋର ଧରିଛି । କର୍ମଚାରୀମାନେ କହୁଛନ୍ତି ଯେ
କିରାଣୀ ବାବୁ ଜଣଙ୍କ ବିଭାଗୀୟ ଅଧିକାରୀଙ୍କୁ ଏଭଳି ସହାୟତା କରୁଛନ୍ତି ଯେ ତାଙ୍କୁ ନଛାଡିବାପାଇଁ ଅନେକ ଲବି କରୁଛନ୍ତି ।
ଅପରାଜିତାଙ୍କ ପରେ ଇତି ମଧ୍ୟରେ ଅନେକ ସଚିବ ଗଲେଣି । ହେଲେ ସମସ୍ତେ ଏ ସଂକ୍ରାନ୍ତରେ ଏକ ପ୍ରକାର ନିରବ । ହେଉଥିବା ଆଲୋଚନା ଅନୁଯାୟୀ ସମ୍ପୃକ୍ତ ହାଇସ୍କୁଲ କିରାଣୀ ଜଣଙ୍କ ଏବେ ଯେଉଁଥିପାଇଁ ନିୟୋଜିତ ହୋଇଥିଲେ ସେହି କାମ ଛାଡି ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାରେ ଲାଗିଛନ୍ତି । ଏଥି ମଧ୍ୟରେ ଗାଡି ଚଳାଚଳ କଥା ବୁଝିବା, କଣ୍ଟିଜେନ୍ସି ଫଣ୍ଡ ପରିଚାଳନା ଭଳି ଦାୟିତ୍ୱ ବି ତାଙ୍କ ହାତରେ କର୍ତ୍ତୃପକ୍ଷ ସମର୍ପି ଦେଇଛନ୍ତି । ଏହି ମଉକାରେ ବାବୁ ଜଣଙ୍କ କୁଆଡେ ନିଜେ ଗାଡି କିଣି ବେନାମୀ ଭାବେ ବିଭାଗରେ ଭଡା ଲଗାଇଥିବା ନେଇ ଆଲୋଚନା ହେଉଛି । ଦୀର୍ଘଦିନ ଧରି ବାହାରର ଏହି କର୍ମଚାରୀ ଜଣଙ୍କ ଲୋକସେବାଭବନରେ ଆସ୍ଥାନ ଜମାଇ ଥିବାବେଳେ ମଝିରେ ମଝିରେ ତାଙ୍କ ନାମରେ ଆପତ୍ତି ଅଭିଯୋଗ ବି ହେଉଛି । ଏଣେ କିରାଣୀ ବାବୁ ଜଣଙ୍କ ଲୋକସେବା ଭବନ ଛାଡୁନଥିବାବେଳେ ତେଣେ ହାଇସ୍କୁଲରେ ତାଙ୍କର ଅଭାବ ପରିଲକ୍ଷିତ ହେଲାଣି ।
ବିଦ୍ୟାଳୟରେ ସିଏ ଯେଉଁ କାମ କରିବାକଥା ପାଠ ପଢା ଛାଡି ଶିକ୍ଷକମାନେ ସେହି କାର୍ଯ୍ୟ କରିବାରେ ଲାଗିଛନ୍ତି । ତେଣୁ ତୁରନ୍ତ ଏହି କିରାଣୀ ବାବୁ ଜଣଙ୍କୁ ତାଙ୍କ ବିଦ୍ୟାଳୟକୁ ଫେରାଇ ଦେବାପାଇଁ କିଛି କର୍ମଚାରୀ ମତ ଦେଇଛନ୍ତି ଏହା ନହେଲେ ଲୋକସେବାଭବନ ବାହାରର ଏହି କର୍ମଚାରୀଙ୍କୁ ନେଇ ଯେଉଁ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ତାହା ଆଗାମୀ ଦିନରେ ଗୁରୁତର ଆକାର ଧାରଣ କରିପାରେ ବୋଲି କିଛି କର୍ମଚାରୀ ମତ ଦେଉଛନ୍ତି ।