ଭୁବନେଶ୍ୱର : ଗୋଟିଏ ଚଉକିରେ ୧୧ବର୍ଷ ଧରି ବସିବାପରେ ତାକୁ ଛାଡିବାକୁ ବାବୁ ନାରାଜ । ଅବସ୍ଥା ଏଭଳି ହୋଇଛି ଯେ ମିଳିଥିବା ପଦୋନ୍ନତିକୁ ମଧ୍ୟ ବାବୁ ତୁଚ୍ଛ କରିଦେଇଛନ୍ତି । ତେବେ ଲୋକସେବାଭବନରେ ଜଣେ ବାବୁ କାହିଁକି ଚଉକି ଛାଡିବାକୁ ନାରାଜ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଗୃହ ଓ ନଗର ଉନ୍ନୟନ ବିଭାଗରେ । ବିଭାଗରେ ଏଏସ୍ଓ ଭାବେ ୨୦୦୮ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ ପ୍ରଭାତ କୁମାର ମିଶ୍ର ।
ଏହି ବିଭାଗରେ ବାବୁ ଜଣଙ୍କ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି ପାଇବାପରେ ସମାନ ସ୍ଥାନରେ କାର୍ଯ୍ୟ କରୁଥିବାବେଳେ ଗତ ଅକ୍ଟେବାର ୨୮ ତାରିଖରେ ଲୋକସେବା ଭବନର ଅନ୍ୟ ଦୁଇ ଅଧିକାରୀଙ୍କ ସହିତ ତାଙ୍କର ଉପ ଶାସନ ସଚିବ (ଅଣ୍ଡର ସେକ୍ରେଟାରୀ) ପଦବୀକୁ ପଦୋନ୍ନତି ହୋଇଥିଲା । ଏହି ପଦୋନ୍ନତି ସହିତ ଶ୍ରୀ ମିଶ୍ରଙ୍କ ବଦଳି ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗକୁ କରିବାପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ମୂଳ ବିଭାଗରେ ରହିବାପାଇଁ ସିଏ ପଦୋନ୍ନତି ନେଲେନାହିଁ । ଏଥି ସହିତ ଶ୍ରୀ ମିଶ୍ର କିଭଳି ପଦୋନ୍ନତି ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରିବେ ସେଥିପାଇଁ ଗୃହ ବିଭାଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା ।
ସଚିବାଳୟ ସେବା କ୍ୟାଡରର ଏହି ଅଧିକାରୀଙ୍କ ପାଇଁ ଆସିଥିବା ପ୍ରସ୍ତାବଟିକୁ ଗୃହ ବିଭାଗ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏହି ପ୍ରସ୍ତାବଟିକୁ ଗୃହ ବିଭାଗ ନଭେମ୍ବର ୨୪ ତାରିଖରେ ଫେରାଇ ଦେଇଥିବା ଜଣାଯାଇଛି । ଏହାପରେ ଶ୍ରୀ ମିଶ୍ରଙ୍କର ପଦୋନ୍ନତି ହେଉନାହିଁ କି ମୂଳ ବିଭାଗରୁ ବଦଳି ହେଉନାହିଁ । ଏଭଳି ଘଟଣା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏହା ପଛରେ କି ରହସ୍ୟ ରହିଛି ତାହା ଜାଣିବାପାଇଁ ଉତ୍ସୁକତା ପ୍ରକାଶ ପାଇଛି । ଅଣ୍ଡର ସେକ୍ରେଟାରୀ ପଦବୀକୁ ଯିବାପାଇଁ ଡେସ୍କ ଅଫିସରମାନେ ଲବି କରୁଥିବାବେଳେ ଶ୍ରୀ ମିଶ୍ର କାହିଁକି ଏଭଳି ପଦୋନ୍ନତିକୁ ପ୍ରତ୍ୟାଖାନ କରୁଛନ୍ତି ତାହା ବୁଝାପଡୁନାହିଁ । ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ୨୦୧୭ ଜାରି ହୋଇଥିବା ନିୟମ
ଅନୁଯାୟୀ କୌଣସି କର୍ମଚାରୀ ଗୋଟିଏ ବିଭାଗରେ ୧୦ ବର୍ଷରୁ ଅଧିକ ସମୟକାମ କରିପାରିବେ ନାହିଁ ।
ତିନି ବର୍ଷ କାର୍ଯ୍ୟ କରିଥିଲେ ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯିବ । ହେଲେ ଗୃହ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଏହା କିଭଳି ଜାଣିପାରୁ ନାହାନ୍ତି ନା ସବୁ ଜାଣି ଗୃହ ବିଭାଗର ଏଭଳି ନିୟମକୁ ଆଖିବୁଜି ଦେଇଛନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି । କିଛି କର୍ମଚାରୀଙ୍କ କହିବା କଥା ଯେ ସମ୍ପୃକ୍ତ ଡେସ୍କ ଅଫିସର ଜଣଙ୍କ ପଦୋନ୍ନତି ନେଉନାହାନ୍ତି କି ତାକୁ ପ୍ରତ୍ୟାଖାନ କରୁନାହାନ୍ତି । ଯଦି ପ୍ରତ୍ୟାଖାନ କରିବେ ତେବେ ଅନ୍ୟ ଜଣେ ବ୍ୟକ୍ତି ଅଣ୍ଡର ସେକ୍ରେଟାରୀ ପଦବୀକୁ ଯିବାକୁ ସୁଯୋଗ ପାଇବେ । ଗୃହ ଓ ନଗର ଉନ୍ନୟନ ବିଭାଗରେ ଏଭଳି ପଦୋନ୍ନତି ଓ ପ୍ରତ୍ୟାଖାନ ଚର୍ଚ୍ଚାରେ ଥିବାବେଳେ ଆଉ କିଛି ବିଭାଗରେ ମଧ୍ୟ ବାବୁମାନେ ଢେର ଅଧିକଦିନ ହେଲା ଡେରା ପକାଇଥିବା ଅଭିଯୋଗ ଆସୁଛି ।
ଏପରିକି କିଛି କର୍ମଚାରୀ କେବଳ ଦୁଇ ତିନିଟି ପସନ୍ଦିଆ ବିଭାଗ ମଧ୍ୟରେ ବର୍ଷ ବର୍ଷ ଧରି ଚକ୍କର କାଟୁଥିବାର ବି ଅଭିଯୋଗ ହୋଇଛି । ପ୍ରଶାସନକୁ ସ୍ୱଚ୍ଛ କରିବାପାଇଁ ମୋ ସରାକର ଓ ୫-ଟି ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଗୋଟିଏ ବିଭାଗରେ ଗାଦିମାଡି ବସିଥିବା ବାବୁମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ସହିତ ଅନ୍ୟ ବିଭାଗ ଯେଭଳି ତାଙ୍କ ଅଭିଜ୍ଞତାର ଫାଇଦା ନେଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି
