ଭୁବନେଶ୍ବର : ମନ୍ତ୍ରୀ ସଭାବୁ ଅତିଥି ହୋଇ ଯାଇଥିଲେ । ସାଙ୍ଗରେ ଥିଲେ ସ୍ଥାନୀୟ ବିଧାୟକ । ଦୁଇଜଣ ଯାକ ସେମାନଙ୍କର ବଡ ପାଟି ପାଇଁ ବେଶ୍ ପରିଚିତ । ଭାବିଥିଲେ ସଭାରେ ସେମାନଙ୍କୁ ବେଶ୍ ମାନ ସମ୍ମାନ ମିଳିବ । ମିଳିଲା ମଧ୍ୟ । ୧୦୦ ବର୍ଷ ପୂରଣ କରୁଥିବା ହାଇସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ମନ୍ତ୍ରୀ ଓ ବିଧାୟକ ବି ଭାଷଣ ଦେଲେ । ହେଲେ ଶେଷରେ ଯେତେବେଳେ ବିଜେପିର ଜଣେ ପୂର୍ବତନ ସାଂସଦଙ୍କ ପାଳି ପଡିଲା ସିଏ ଉଭୟ ମନ୍ତ୍ରୀ ଓ ବିଧାୟକଙ୍କ ଏଭଳି ଗୋହି ଖୋଳିଲେ ଯେ ଦୁଇ ଜଣ ଯାକ ସଭା ଅଧାରୁ ପଳାଇବାକୁ ପସନ୍ଦ କରିଥିଲେ । ପୁରୀ ଜିଲ୍ଲାରେ ଘଟିଥିବା ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ଦାଣ୍ଡମୁକୁନ୍ଦପୁରରେ ଥିବା ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଦୁଇଦିନ ତଳେ ତାହାରା ଶତବାର୍ଷିକୀ ପାଳନ କରୁଥିଲା । ଏହି ଉତ୍ସବରେ ପ୍ରଥମ ଦିନରେ ରାଜ୍ୟପାଳ ଅତିଥି ହୋଇଥିବାବେଳେ ଦ୍ୱିତୀୟ ଦିନରେ ଥିଲେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ବିଜେପିର ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ।
ମନ୍ତ୍ରୀ ଓ ବିଧାୟକଙ୍କୁ ସଭା ମଞ୍ଚରେ ପ୍ରଥମେ ଭାଷଣ ଦେବାର ସୁଯୋଗ ମିଳିଥିଲା । ଉଭୟ ମଧ୍ୟ ବଡ ପାଟିରେ ଭାଷଣ ଦେଇଥିଲେ । ହେଲେ ଶେଷରେ ପାଳି ପଡିଥିଲା ଖାରବେଳଙ୍କର । ଖାରବେଳ ଭାଷଣ ଆରମ୍ଭରୁ ସମୀର ଓ ମହାରଥୀଙ୍କୁ ଟାର୍ଗେଟ କରିଥିଲେ । ପ୍ରଥମେ ସମୀରଙ୍କ ଆଡକୁ ତେରଛା ବାଣ ମାରି କହିଥିଲେ ଯେ ଦୀର୍ଘଦିନ ହେଲା ଗୁଡାଏ ଅପରାଗ ଓ ଅଯୋଗ୍ୟ ଲୋକ ରାଜ୍ୟର ଶିକ୍ଷାମନ୍ତ୍ରୀ ହେଉଥିବାରୁ ଓଡିଶାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଲାଣି । ଶିକ୍ଷା ବିଷୟରେ ଧାର ଧାରୁନଥିବା ଲୋକେ କିଭଳି ଶିକ୍ଷାମବୀ ହେଉଛନ୍ତି ତାହା ସେ ଟିକିନିଖି କରି ବଖାଣିଥିଲେ । ଖାରବେଳଙ୍କ ଏଭଳି ମରମଜଳା କଥା ସଭା ମଞ୍ଚରେ ଥିବା ମନ୍ତ୍ରୀଙ୍କ ଦେହରେ ଛୁଞ୍ଚି ଭଳି ଫୋଡିହୋଇ ଯାଉଥିଲେ ମଧ୍ୟ ସୌଜନ୍ୟତା ଦୃଷ୍ଟିରୁ କିଛି କରିପାରିନଥିଲେ । ଏହାପରେ ଖାରବେଳ ଟାର୍ଗେଟ କରିଥିଲେ ମହାରଥୀଙ୍କୁ । ସିଧା କହିଥିଲେ ଯେ ମହାରଥୀ ତାଙ୍କର ବଡ ପାଟି ପାଇଁ ବେଶ୍ ଜଣାଶୁଣା । ତାଙ୍କର ଡାକ ନାମ ନାଟୁ ଓ ସେ ନାଟୁଆ ପ୍ରକୃତିର । ଯାତ୍ରା ପାର୍ଟିର ଡାଇଲଗ ମାରିବା ହେଉଛି ତାଙ୍କର ଅଭ୍ୟାସ ।
ଏଭଳି ଜଣେ ବ୍ୟକ୍ତି କିଭଳି ଲୋକ ପ୍ରତିନିଧି ହେଲେ ତାହା ବି କହିବାକୁ ପଛାଇ ନଥିଲେ ଖାରବେଳ । କିଛି ସମୟ ଧରି ଖାରବେଳଙ୍କ ବାଣରେ ଘାଇଲା ହେବାପରେ ଉଭୟ ମବୀ ଓ ବିଧାୟକ ଆଉ ନିଜକୁ ସମ୍ଭାଳି ପାରିନଥିଲେ କିଭଳି ସଭାସ୍ଥଳ ଛାଡିବେ ସେଥିପାଇଁ ବାହାନା ଖୋଜିଥିଲେ । ପ୍ରଥମେ ସମୀର ଓ ପରେ ମହାରଥୀ ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟ ଦର୍ଶାଇ ସେଠାରୁ ଖସିଥିବାବେଳେ ଲୋକେ କିନ୍ତୁ ଖାରବେଳଙ୍କ କଥାରେ ଜୋରରେ ତାଳିମାଡ କରୁଥିବା ଦେଖିବାକୁ ମିଳିଥିଲା । ଅତିଥିଙ୍କ ଭାଷଣ ପରେ ସମ୍ବର୍ଦ୍ଧନାପର୍ବ ଥିଲା । ହେଲେ ସମ୍ବର୍ଦ୍ଧିତ କରିବାକୁ ମନ୍ତ୍ରୀ କିମ୍ବା ବିଧାୟକ ନଥିଲେ । ଏହା ଉପସ୍ଥିତ ବ୍ୟକ୍ତିବିଶେଷ ଓ ସମ୍ବର୍ଦ୍ଧିତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବେଶ୍ ବାଧିଥିଲା । ତେବେ ସଭାସ୍ଥଳରେ କିଛି ଲୋକ ଖାରବେଳଙ୍କ ଭାଷଣ ସୀମା ବାହାରେ ହୋଇଗଲା ଓ ସଭାରେ ଏଭଳି କହିବା ଠିକ୍ ହେଲାନାହିଁ ବୋଲି କହୁଥିବାବେଳେ ଆଉ କିଛି ଉଭୟ ମନ୍ତ୍ରୀ ଓ ବିଧାୟକଙ୍କୁ ପାନେ ହୋଇଛି ବୋଲି କହୁଥିବା ଶୁଣିବାକୁ ମିଳିଥ୍ôଲା ।
