ଭୁବନେଶ୍ୱର : ଗଲୱାନରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର ଆଜି ବିମାନ ଯୋଗେ ଓଡିଶାରେ ଆସି ପହଞ୍ଚିଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସହିଦଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମିକୁ ନିଆଯିବ । ଚିନ ସେନା ସଂଘର୍ଷରେ କନ୍ଧମାଳ ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ରାଇରଙ୍ଗପୁରର ନାଏବ ସୁବେଦାର ନନ୍ଦୁରାମ ସୋରେନ୍ ସୋମବାର ଗଲୱାନ ଘାଟିରେ ଚୀନ ସହ ହୋଇଥିବା ସଂଘର୍ଷରେ ସହିଦ ହୋଇଛନ୍ତି । ନନ୍ଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡ଼ଚମ୍ପାଉଦା ଗାଁରେ । ବୀର ଯବାନ ନନ୍ଦୁରାମ ସୋରେନଙ୍କୁ ହରାଇ ପୂରା ଭାଙ୍ଗିପଡ଼ିଛନ୍ତି ପରିବାର । ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଷୀ ଲାଲ ସହିଦଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
କହିରଖିବା ଉଚିତ ହେବକି, ୪୩ ବର୍ଷୀୟ ନନ୍ଦୁରାମ ବିହାର ରେଜିମେଣ୍ଚରେ ଯୋଗ ଦେଇଥିଲେ । କିଛି ମାସ ତଳେ ଲଦାଖରେ ମୁତୟନ ହୋଇଥିଲେ ନାଏବ ସୁବେଦାର ନନ୍ଦୁରାମ ସୋରେନ । ରାଇରଙ୍ଗପୁରର ୧୨ ନମ୍ବର ୱାର୍ଡରେ ରହୁଥିବା ଯବାନ ନନ୍ଦୁରାମଙ୍କ ପତ୍ନୀ, ତିନି ଝିଅ ଓ ପରିବାର ଲୋକଙ୍କ ଆଖିରୁ ଆଉ ଲୁହ ଶୁଖୁନି । ଅନ୍ୟଜଣେ ବୀର ଯବାନ କନ୍ଧମାଳ ଜିଲ୍ଲା ରାଇକିଆ ବେଓରପଙ୍ଗାର ଚନ୍ଦ୍ରକାନ୍ତ ପ୍ରଧାନ । ସେ ୨୦୧୪ ମସିହାରେ ୧୬ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ। ୨୦୨୦ ଫେବ୍ରୁଆରୀରେ ଲଦାଖରେ ତାଙ୍କର ପୋଷ୍ଟିଂ ହୋଇଥିଲା