Odia News Portal

ମୋବାଇଲ କିଣାରୁ ଲାଭ ପାଇଁ ଲାଳ ଗଡାଇଲେଣି ବ୍ୟବସାୟୀ

ଭୁବନେଶ୍ୱର : ରାଜ୍ୟ ସରକାର ୮୦ହଜାର ମୋବାଇଲ୍‍ ଫୋନ୍‍ କିଣିବାକୁ ଯାଉଥିବାରୁ ଏଥିରୁ ମୁନାଫା ପାଇବାକୁ ଏବେ ଅନେକଙ୍କ ପାଟିରୁ ଲାଳ ଗଡିଲାଣି । ପଶ୍ଚିମଓଡିଶାର ଗୁପ୍ତା ସାଙ୍ଗିଆ ଧାରି ଜନୈକ ବ୍ୟକ୍ତି ଏବେ କୌଣସି ପ୍ରକାରେ ସରକାରଙ୍କ ମୋବାଇଲ୍‍ କିଣାରୁ କିଛି ଫାଇଦା ଉଠାଇବାପାଇଁ ଲୋକସେବା ଭବନରେ ଚକ୍କର କାଟୁଥିବା ନେଇ ଆଲୋଚନା ହେଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋବାଇଲ କିଣା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଏହି ଗୁପ୍ତା ବାବୁଙ୍କର ବ୍ୟବସାୟିକ ସମ୍ପର୍କ ଥିବାରୁ କୌଣସି ପ୍ରକାରେ ମୋବାଇଲ୍‍ ଯୋଗାଣ ହାତେଇବାପାଇଁ ଉଦ୍ୟମ ଚଳାଇଛନ୍ତି । ଅବଶ୍ୟ ସରକାର ଏହି ବିପୁଳ ପରିମାଣର ମୋବାଇଲ କିଣିବାପାଇଁ ଟେଣ୍ଡର ଜାରି କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଚାଇନା ସାମଗ୍ରୀ ବିରୁଦ୍ଧରେ ଲୋକେ ଆନ୍ଦୋଳନ ଡାକରା ଦେଉଥିବାରୁ ସରକାରୀ ସ୍ତରରେ ଏହି ଧରଣର ସାମଗ୍ରୀ କିଣାଯିବ କି ନାହିଁ ତାହା ଉପରେ ନଜର ରହିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଗୁପ୍ତା ବାବୁ ଓ ମୋବାଇଲ କିଣା ଦାୟିତ୍ୱରେ ଥିବା ଅଧିକାରୀ ଜଣଙ୍କ ପୂର୍ବରୁ ଚାଇନା ମୋବାଇଲ କିଣି ଗୋଟିକରେ ଅତି କମ୍‍ରେ ୨୦୦୦ ଟଙ୍କାର ଫାଇଦା ପାଇବାପାଇଁ ଯୋଜନା କରିଥିବାବେଳେ ଏବେ ତାହା ପୂରଣ ହେଲାଭଳି ଦିଶୁନାହିଁ । ତେଣୁ କେଉଁ ଉପାୟରେ ଏହି କାରବାର ହେବ ସେଥିପାଇଁ ଗୋଟଏି ଗ୍ୟାଙ୍ଗ୍‍ ଲାଗି ପଡିଥିବା ସୂଚନା ମିଳିଛି । ଉଲ୍ଲେଖନୀୟ ଯେ ସମ୍ପୃକ୍ତ ଗୁପ୍ତା ବାବୁ ଓ ଉକ୍ତ ଅଧିକାରୀ ଜଣଙ୍କ ମିଳିତ ଭାବେ କେନ୍ଦୁଝର ଜିଲ୍ଲାରେ ଖଣି ବେପାର ଚଳାଇଥିବା ନେଇ ପୂର୍ବରୁ ଲୋକସେବା ଭବନରେ ଜୋରଦାର ଆଲୋଚନା ହେବାରୁ ଗୁପ୍ତାବାବୁ ଜଣଙ୍କ କିଛିଦିନ ଧରି ଲୋକସେବାଭବନ ମାଡୁନଥିଲେ । ତେବେ ରାଜ୍ୟର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ମୋବାଇଲ ଯୋଗାଣ ହେବାକୁ ଥିବାରୁ ସବୁ ସ୍ତରରେ ଏହା ଉପରେ କଡା ନଜର ରଖାଯାଇଥିବା ସୂଚନା ମିଳିଛି ।