Odia News Portal

ସଫଳ ରଥଯାତ୍ରା କରାଇ ବିଶ୍ୱକୁ ଓଡିଶାବାସୀ ଦେଲେ ନୂଆ ବାର୍ତ୍ତା

ଭୁବନେଶ୍ୱର : ପୁରୀ ରଥଯାତ୍ରା ଉପରେ ସମଗ୍ର ବିଶ୍ୱର ନଜର ଥିବାବେଳେ ସମଗ୍ର ଓଡିଶାବାସୀ ବିଶ୍ୱକୁ ନୂଆ ବାର୍ତ୍ତା ଦେଇଛନ୍ତି । କରୋନା ମହାମାରୀ ସମୟରେ ଗୋଟିଏ ଜାତିର ଅସ୍ମିତା ରକ୍ଷାଲାଗି ରାଜ୍ୟବାସୀ ଯେ ସବୁକିଛି ତ୍ୟାଗ କରିପାରନ୍ତି ତାହା ଦେଖାଇ ଦେଇଛନ୍ତି । ରାଜ୍ୟର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜଗତରନାଥ ଜଗନ୍ନାଥଙ୍କ ରଥ ଗଡିବା ସମୟରେ ବଡଦାଣ୍ଡକୁ ଓହ୍ଲାଇବା ତ ଦୂରରକଥା ନିଜ ନିଜ ଘରର ଛାତ ଉପରେ ବି ଛିଡାହୋଇ ନାହାନ୍ତି । ଗୋଟିଏ ଜାତିର ଅସ୍ମିତା ରକ୍ଷା ରକ୍ଷାଲାଗି ରାଜ୍ୟବାସୀ କିଭଳି ତ୍ୟାଗ କରିପାରନ୍ତି ତାହା ଆଜି ଦେଖିବାକୁ ମିଳିଛି । ବିଶ୍ୱବାସୀ ବି ଦେଖିଛନ୍ତି । ତେବେ ସବୁ ସେହି ଲୀଳାମୟଙ୍କ ଲୀଳା ବୋଲି ମାନୁଛନ୍ତି । ଜଗତରନାଥ ଜଗନ୍ନାଥଙ୍କ ମୂଳପୀଠ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା କରିବାପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସବୁଜ ସଙ୍କେତ ଦେବା ସହିତ କେତେକ ସର୍ତ୍ତ ରଖିଥିଲେ । ଏହା ଭିତରେ ସବୁଠାରୁ ବଡ ସର୍ତ୍ତ ଥିଲା କରୋନା ମହାମାରୀ କଟକଣା ମାନିବା, ବିନା ଭକ୍ତରେ ରଥଯାତ୍ରା କରିବା । ଯେଉଁ ଭକ୍ତମାନଙ୍କୁ ଦର୍ଶନ ଦେବାପାଇଁ ଜଗତରନାଥ ବଡଦାଣ୍ଡକୁ ଆସିବେ ସେହି ଭକ୍ତଙ୍କୁ କିଭଳି ରୋକାଯାଇ ପାରିବ ତାହା ଥିଲା ରାଜ୍ୟ ସରକାରଙ୍କ ପାଇଁ ବଡ ଆହ୍ୱାନ ।
ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୁରୀ ଗଜପତି ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ୱରରେ ଲୋକଙ୍କୁ ନିବେଦନ କଲେ । ବଡଦାଣ୍ଡକୁ କେହି ନଆସିବାକୁ ଗୁହାରୀ କଲେ । ଏପରିକି ଘରର ଛାତ ଉପରେ କେହି ନରହିବାକୁ କହିଲେ । ସମସ୍ତେ ନିଜ ନିଜ ଟିଭିରେ ରଥଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ଅନୁରୋଧ କରାଗଲା । ହେଲେ ଏତେ ସବୁ ସତ୍ୱେ ବି ମନ ବୁଝୁନଥିଲା । କାରଣ ଭକ୍ତଙ୍କ ଭାବାବେଗ ଯେ ଭଗବାନଙ୍କ ପାଇଁ ଗଭୀର ତାହା ସମସ୍ତେ ଜାଣିଥିଲେ । ହେଲେ ସବୁକିଛିର ଆଶା ଓ ଆଶଙ୍କା ଉପରେ ଓଡିଶାବାସୀ ବିରାମ ଲଗାଇଲେ । ଆସିଲେନି ପୁରୀ, ବଡଦାଣ୍ଡରେ ରଥ ଟାଣିବାକୁ ଅଳି କଲେନି, ବଡଦାଣ୍ଡର ଦୁଇପାଖରେ ଥିବା ନିଜ ନିଜ ଘରର ଛାତ ଉପରେ ବି ଛିଡା ହେଲେନି । ଦେଖାଇଲେ ଓଡିଆତ୍ୱ । ବିଶ୍ୱକୁ ଦେଲେ ନୂଆ ବାର୍ତ୍ତା । ନିଜ ଐତିହ୍ୟ, ସଂସ୍କୃତି ଓ ଅସ୍ମିତାର ସୁରକ୍ଷାପାଇଁ ଓଡିଆ ଯେ ସବୁକିଛି ତ୍ୟାଗ କରିପାରେ ତାହା ଆଜି ବିଶ୍ୱ ଦେଖିଲା । ବିନା ଭକ୍ତରେ କଟକଣା ମାନି ତିନି ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିବାପରେ ପ୍ରଶାସନ ନିଶ୍ୱାସ ମାରିଛି ।
ମୁଖ୍ୟ ପ୍ରଶାସକ ପ୍ରଭୁଙ୍କ ଆଗରେ ହାତଯୋଡି ଯାତ୍ରାର ସଫଳତା ପାଇଁ ନିଜକୁ ସମର୍ପଣ କରିଛନ୍ତି । ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଜଗତରନାଥ ଏହିଭଳି ଭାବେ ସବୁକିଛି ସୁରୁଖୁରୁରେ କରିନେବାପାଇଁ କରିଛନ୍ତି ଗୁହାରି । ମୁଖ୍ୟମନ୍ତ୍ରୀଙ୍କଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଦାୟିତ୍ୱରେ ଥିବା ଅଧିକାରୀ ସମସ୍ତେ ଆଜି ସମସ୍ୱରରେ ରାଜ୍ୟବାସୀଙ୍କ ତ୍ୟାଗର ପ୍ରଶଂସା କରୁଛନ୍ତି । କରୋନା ମହାମାରୀ ସମୟରେ ଓଡିଶାବାସୀ ଯେଉଁ ତ୍ୟାଗ ଓ
ଧୈର୍ଯ୍ୟ ଦେଖାଇଛନ୍ତି ଓ ପ୍ରଶାସନ ଯେଭଳି ତାହାର ଦାୟିତ୍ୱ ନିର୍ବାହ କରିଛି ତାହା ସବୁଦିନ ପାଇଁ ଇତିହାସରେ ଲେଖାହୋଇ ରହିବ ।