Odia News Portal

ଡି-ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଓ ଗୁଳି ଜବତ

ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଆଜି କମିଶନରେଟ୍‌ ପୁଲିସ ଚଢ଼ଉ କରି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଡି ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଘର ଯାଞ୍ଚ କରୁଛି ପୁଲିସ ।ପୂର୍ବରୁ ଡିସେମ୍ବର ୧୦ ତାରିଖରେ କମିଶନରେଟ୍‌ ପୁଲିସ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୮ଟି ଚୋରା ବନ୍ଧୁକ, ୧୦୫୫ ଗୁଳି ଜବତ କରିଥିଲା। ମାରଣାସ୍ତ୍ର ଗୁଡ଼ିକୁ ଘର ଭିତରେ ଇଣ୍ଟରିୟର ଡିଜାଇନ କରି ରଖାଯାଇଥିଲା। ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଚୋରା ଆସୁଥିବା ଜଣାପଡ଼ିଛି।

୨୦୧୬ ମସିହାରେ ଧଳ ସାମନ୍ତ ବ୍ରଦର୍ସ ଗିରଫ ହୋଇ ପୃଥକ୍‌ ଭାବେ ଜେଲ୍‌ରେ ରହିଛନ୍ତି। ଏହା ସତ୍ତ୍ୱେ ସେମାନେ ଜେଲ ଭିତରୁ ଚଳାଉଥିଲେ ନିଜର କ୍ରାଇମ୍‌ ନେଟ୍‌ୱର୍କ । ଡି ବ୍ରଦର୍ସଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ। ପରେ ସେ ବେଲ୍‌ରେ ଆସିଥିଲେ। ବେଲରେ ଆସିବା ପରେ ସେ ବନ୍ଧୁକ ବେପାର କରୁଥିଲା। ଏ ସମ୍ପର୍କରେ ଜାଣିପାରି ଚୌଦ୍ୱାର ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା। ଏପରିକି ପୁଲିସ ତା’ଠାରୁ ୨ଟି ବନ୍ଧୁକ ଜବତ କରିଥିଲା। ତାଙ୍କୁ ଜେରା ବେଳେ ସରୋଜ ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁ ଧରିଥିଲା। ଯାହାକୁ ସେ ବନ୍ଧୁକ ଯୋଗାଣ କରୁଥିଲା। ଗିରଫ ପ୍ରକାଶ ବେହେରାଙ୍କ ତଥ୍ୟ ଆଧାରରେ କମିଶନରେଟ୍‌ ପୁଲିସ ସରୋଜ ସେଠୀଙ୍କୁ ଗିରଫ କରିଥିଲା। ତାକୁ ଜେରା ବେଳେ ଧଳ ସାମନ୍ତ ବ୍ରଦର୍ସଙ୍କ ଲିଙ୍କ ସାମ୍ନାକୁ ଆସିଥିଲା।