Odia News Portal

ବନ୍ଧୁକ ମୁନରେ ୯ ଲକ୍ଷ ଟଙ୍କା ଲୁଟ୍

ଗଞ୍ଜାମ: ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା । ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ଲୁଟ ଘଟିଥିବା ବେଳେ ବାଲେଶ୍ୱରରେ ମଧ୍ୟ ସମାନ ଢଙ୍ଗରେ ଘଟିଛି ଲୁଟ ଘଟଣା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗାଁ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଅପରାଧୀ । ସ୍ୱସ୍ତି ରିସୋର୍ଟର ୩ଜଣ କର୍ମଚାରୀ ଏକ କାର୍‌ରେ ୬ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ମୁକ୍ତେଶ୍ଵର ମନ୍ଦିର ନିକଟରେ କଳା ପଲସରରେ ଆସିଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇବା ପରେ ଖଲ୍ଲିକୋଟ ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଛାନଭିନ ଆରମ୍ଭ କରିଛି । ତେବେ ଘଟଣା ପ୍ରି ପ୍ଲାନିଂ ଅନୁସାରେ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |

ସେହିଭଳି ସମାନ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଖାନନଗରରୁ ୩.୨ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଜଣେ ବ୍ୟକ୍ତି ବାଇକ୍‌ରେ ଟଙ୍କା ନେଇ ବ୍ୟାଙ୍କକୁ ଡିପୋଜିଟ୍ କରିବାକୁ ଯାଉଥିବା ସମୟରେ ୩ ଲୁଟେରା ତାଙ୍କ ଉପରେ ଗୁଳି ଚଳାଇ ତାଙ୍କ ନିକଟରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ।