ଭୁବନେଶ୍ୱର: ଜାନୁଆରୀ ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଜାନୁଆରୀ ୧୧ରୁ କଲେଜ ଓ ବିଶ୍ୱ ବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଠପଢା ଚାଲିବ । ତେବେ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପରୀକ୍ଷା ହେବାସହ ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ସେହିଭଳି ଛାତ୍ରଛାତ୍ରୀ ମାନଙ୍କ ଶେଷ ସେମିଷ୍ଟାର ପରୀକ୍ଷା ୧୬ ଜୁନରୁ ଆରମ୍ଭ ହୋଇ ୩୦ ଜୁନରେ ଶେଷ ହେବ । ଶେଷ ସେମିଷ୍ଟାରର କ୍ଲାସ ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପରୀକ୍ଷା ଫଳ ଜୁଲାଇ ୧୫ ମଧ୍ୟରେ ପ୍ରକାଶ ପାଇବ ।
ତେବେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବା ପୂର୍ବରୁ ସରକାର ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରଦାନ କରିଛନ୍ତି | ଯେପରିକି ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । କ୍ଲାସରେ ନିୟମିତ ସାନିଟାଇଜେସନ ବ୍ୟବସ୍ଥା ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ତେବେ ପୂର୍ବଭଳି କ୍ଲାସରେ ସମସ୍ତ ଅଧ୍ୟାୟ ପଢା ଯିବ । ସମ୍ଭବ ହେଲେ କ୍ଲାସର ଭିଡ଼ିଓ ରେକର୍ଡିଂ କରି ଅନୁପସ୍ଥିତ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ବିଦ୍ୟାର୍ଥୀ ଓ ଶିକ୍ଷକ କ୍ଲାସକୁ ଆସିବେ ନାହିଁ । ଅଧିକ ବିଦ୍ୟାର୍ଥୀ ଥିବା କ୍ଲାସକୁ ବିଭାଜିତ କରାଯିବ । ଶିକ୍ଷାନୁଷ୍ଠାନ ପରିସରରରେ କେହି ବି ଛେପ ପକାଇବେ ନାହିଁ । ୨୦୨୦-୨୦୨୧ ଶିକ୍ଷା ବର୍ଷ ପାଇଁ ଜାନୁଆରୀ ୧୦ରୁ ହଷ୍ଟେଲ ଖୋଲିବ । ପରୀକ୍ଷାକାଳ, ରବିବାର, ସାଧାରଣତନ୍ତ୍ର ଦିବସ , ସରସ୍ୱତୀ ପୂଜା ଓ ଉତ୍କଳ ଦିବସ କୁ ଛାଡ଼ି ଦେଲେ ଅନ୍ୟ ଦିନଗୁଡ଼ିକରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲା ରହିବ ।