Odia News Portal

ଭୁଶୁଡ଼ିଲା ଶ୍ମଶାନ ଛାତ,୧୭ ମୃତ

ଗାଜିଆବାଦ (ଉତ୍ତରପ୍ରଦେଶ): ଶବ ନେଇ ଆସିଥିଲେ,ଶବ ହୋଇ ଫେରିଲେ | ଶ୍ମଶାନକୁ ଶବଦାହ ପାଇଁ ଆସିଥିଲେ ହେଲେ ଅଚାନକ ମୁଣ୍ଡ ଉପରେ ଭୁଶୁଡ଼ି ପଡ଼ିଲା ଛାତ | ଉତ୍ତରପ୍ରଦେଶ ଗାଜିଆବାଦର ଏକ ଶ୍ମଶାନରେ ଘଟିଛି ଏହିଭଳି ମର୍ମନ୍ତୁଦ ଘଟଣା | ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପୋଲିସ ଅନୁମାନ ଲଗାଇଛି ।ତେବେ ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମ୍ବେଦନା ଜଣାଇଛନ୍ତି |

ସୂଚନାନୁଯାୟୀ, ମୁରାଦନଗର ଅଞ୍ଚଳରେ କିଛି ଲୋକ ଶ୍ମଶାନକୁ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାକୁ ଆସିଥିଲେ । ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା । ଲୋକମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ ଛାତ ଭାଙ୍ଗି ଯାଇଥିଲା । କେହି କିଛି ବୁଝିବା ଆଗରୁ ଛାତ ତଳେ ରହିଥିବା ଲୋକମାନଙ୍କ ଉପରେ ଛାତଟି ପଡି ଯାଇଥିଲା ଓ ଲୋକମାନେ ଚାପି ହୋଇଯାଇଥିଲେ । ପୋଲିସ ଓ ଏନଡିଆରଏଫ୍ ଟିମ୍ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବେ ପର୍ଯ୍ୟନ୍ତ ଛାତ ତଳୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହ ଅନେକ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ପୋଲିସ ଅନୁମାନ ଲଗାଇଛି କି ଛାତ ତଳେ ଆହୁରି କିଛି ଲୋକ ରହିଛନ୍ତି ।