Odia News Portal

ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ନିଖୋଜ

ରାଉରକେଲା : ପାକିସ୍ତାନ ଜେଲ୍‌ରୁ ଫେରିଥିବା ବିରଜୁ କୁଲୁ ନିଖୋଜ। ଗତକାଲି ରାତିରୁ ବିରଜୁ କୁଲୁଙ୍କ କୌଣସି ପତ୍ତା ମିଳୁନି। ବିରଜୁଙ୍କ ନିଖୋଜ ନେଇ କୁତ୍ରା ଥାନାରେ ଏତଲା ଦେଇଛନ୍ତି ତାଙ୍କ ଭଉଣୀ । ଆଖ ପାଖ ଥାନାକୁ ବି ଏନେଇ ସୂଚନା ଦିଆଯାଇଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ପୋଲିସକୁ ମଧ୍ୟ ବିରଜୁ ନିଖୋଜ ନେଇ ପ୍ରଶାସନ ପକ୍ଷରୁ ଜଣାଯାଇଛି । ବିରଜୁଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

୨୫ ବର୍ଷ ପୂର୍ବରୁ ବିରଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲେ। ତେବେ ମାନସିକ ଅନଗ୍ରସର ଥିବା କାରଣରୁ ସେ ପାକିସ୍ତାନ ସୀମା ପାର କରି ଯାଇଥିବା କୁହାଯାଇଥିଲା । ତାଙ୍କୁ ପାକିସ୍ତାନ ପୋଲିସ ଗିରଫ କରିବା ପରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲେ ବିରଜୁ । ଲାହୋର ଜେଲ୍‌ରେ ୨୦ ବର୍ଷ ରହିବା ପରେ ୨୦୨୦ ଡିସେମ୍ବର ୨୬ ତାରିଖରେ ଜେଲ୍‌ରୁ ମୁକୁଳିଥିଲେ ।

ବିରଜୁ ଗତ ୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ସେଠାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତାଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଧରି ସୁନ୍ଦରଗଡ଼ ଆସିଥିଲା।