ବାଲେଶ୍ୱର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜିଲା ମଣିଷପଣିଆ । ଡାହାଣୀ ସନ୍ଦେହରେ ମାଡ଼ମାରି ଗାଁରୁ ତଡ଼ି ଦେଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ମହିଷାମୁଣ୍ଡା ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା । ଗାଁର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କୁ ଓ ତାଙ୍କ ପରିବାରକୁ ମାଡ଼ମାରି ଗାଁରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ । ଗାଁର ଲୁସ୍କୁ ଟୁଡୁଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କୁ ଓ ତାଙ୍କ ପରିବାରକୁ ଗାଁରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ ।

ସ୍ୱାମୀ ସ୍ତ୍ରୀ ଓ ପିଲାକୁ ଧରି ଅନ୍ୟ ଏକ ଗାଁ ପାଖ ହ୍ୟୁମ୍ ପାଇପ୍ ଭିତରେ ଆଶ୍ରୟ ନେଇଛନ୍ତି ରୁକ୍ମିଣୀଙ୍କ ପରିବାର । ସୂଚନା ଅନୁସାରେ ଲୁସ୍କୁଙ୍କ ବଡ଼ଭାଇଙ୍କ ଦୁଇପୁଅ ରୋଗରେ ପଡ଼ି ପ୍ରାଣ ହରାଇଥିଲେ । ସେମାନଙ୍କ ମୃତ୍ୟୁର କାରଣ ଲୁସ୍କୁଙ୍କ ସ୍ତ୍ରୀ ରୁକ୍ମିଣୀ ବୋଲି ବଡ଼ଭାଇ ସନ୍ଦେହ କରିଥିଲେ । ବଡ଼ଭାଇ ଏକଥା ଗ୍ରାମବାସୀଙ୍କୁ ଜଣାଇବାପରେ ଗ୍ରାମବାସୀ ମାଡ଼ ମାରିବା ସହିତ ଗାଁରୁ ତଡ଼ି ଦେଇଛନ୍ତି । ଏମିତିକି ଘରୁ କୈାଣସି ଜିନିଷ ମଧ୍ୟ ସାଙ୍ଗରେ ନେଇଯିବାକୁ ଦେଇ ନାହାଁନ୍ତି । ପାଖରେ ପଇସାପତ୍ର କି ଲୁଗାପଟା କିଛି ନଥିବାରୁ ଶୀତ କାକରରେ ଭୋକ ଉପାସରେ ଦୟନୀୟ ଅବସ୍ଥାରେ ରୁକ୍ମିଣୀ ଓ ତାଙ୍କ ପରିବାର ହ୍ୟୁମ୍ ପାଇପ୍ ଭିତରେ ରହୁଛନ୍ତି ।