Odia News Portal

ମହିଳା କମିଶନ ସଦସ୍ୟାଙ୍କ ବିବାଦୀୟ ବୟାନ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଗୁରୁବାର ଦିନ ପୀଡିତାଙ୍କ ପରିବାର ନିକଟକୁ ଗସ୍ତ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ବୈଠକ ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ ଚନ୍ଦ୍ରମୁଖୀ ଦେବୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହାକି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୀଡିତା ପରିବାର ସହିତ ସାକ୍ଷାତ ପରେ ଚନ୍ଦ୍ରମୁଖୀ ଦେବୀ କହିଛନ୍ତି ଯେ, ଯଦି ପୀଡିତା ଏକା ଯାଇ ନଥାନ୍ତେ ତାହେଲେ ଏଭଳି ଘଟି ନଥାନ୍ତା । ସେ କାହିଁକି ଏକୁଟିଆ ଯାଉଥିଲା । ଏପରିକି ମହିଳାଙ୍କ ସହିତ ପରିବାରର କୌଣସି ସଦସ୍ୟ ଯାଇଥାନ୍ତେ, ତେବେ ଏପରି ଅଘଟଣ ହୋଇନଥାନ୍ତା । ପ୍ରଥମେ ମହିଳାଙ୍କୁ ଫୋନ୍‌ କରି ଡକାଯାଇଥିଲା । ମହିଳା ଜଣଙ୍କ ଏକା ଯାଇଥିବା ବେଳେ ଏପରି ଘଟଣା ଘଟିଛି ।

ମହିଳା କମିଶନ ସଦସ୍ୟା ଆହୁରୀ ମଧ୍ୟ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର । ପୋଲିସ ଅବହେଳାରୁ ଏପରି ଘଟଣା ଘଟିଛି । ପୋଲିସ ତତ୍ପରତା ଦେଖାଇଥିଲେ ଏପରି ଅଘଟଣା ଘଟିନଥାନ୍ତା । ପୋଲିସ ଚାହିଁଥିଲେ ପୀଡିତାର ଜୀବନ ବଞ୍ଚିଯାଇଥାନ୍ତା । ପୋଲିସ ଏତଲା ଲେଖିବାରେ ବିଳମ୍ବ କରିଥିଲା । ଏପରିକି ମହିଳା ଜଣଙ୍କ ୧୮ଘଣ୍ଟା କାଳ ପଡିରହିଥିଲେ । ଠିକ୍‌ ସମୟରେ ମେଡିକାଲରେ ମଧ୍ୟ ପୀଡିତାଙ୍କୁ ପହଞ୍ଚାଯାଇପାରିନଥିଲା । ଯାହାଫଳରେ କି ସେ ନିଜର ନିଶ୍ୱାସ ତ୍ୟାଗ କରିଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଚନ୍ଦ୍ରମୁଖୀ ଦେବୀ ।

ଉତରପ୍ରଦେଶ ବଦାୟୁରେ ଜଣେ ୫୦ ବର୍ଷିୟ ମହିଳାଙ୍କୁ ମନ୍ଦିର ଭିତରେ ଗଣ ଦୁଷ୍କର୍ମ କରାଗଲା । ଗଣ ଦୁଷ୍କର୍ମରେ ସାମିଲ ମନ୍ଦିରର ମହନ୍ତ ଓ ତାଙ୍କର ୨ ଜଣ ଶିଷ୍ୟ ମହିଳା ଜଣଙ୍କୁ ଦୁଷ୍କର୍ମ କରିବା ପରେ ତାକୁ ବିଭତ୍ସ ଭାବେ ହତ୍ୟା କଲେ । ହତ୍ୟା ଏତେ ଭୟାନକ ଓ ବିଭତ୍ସ ଥିଲା କି ଏହାକୁ ଶୁଣି କୌଣସି ଲୋକର ମଧ୍ୟ ଲୋମ ଟାଙ୍କୁରି ଉଠିବ । ମହିଳା ଜଣଙ୍କ ସନ୍ଧ୍ୟା ସମୟରେ ମନ୍ଦିରକୁ ଏକୁଟିଆ ଯାଇଥିଲେ । ସେଠାରେ ସେ ପୂଜା କରୁଥିବା ବେଳେ ମନ୍ଦିରର ମହନ୍ତ ଓ ୨ ଜଣ ଶିଷ୍ୟ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । କାଳେ ମହିଳା ଜଣଙ୍କ ଏକଥା ବାହାରେ ପ୍ରଘଟ କରିଦେବ ସେହି ଭୟରେ ସେମାନେ ମହିଳାଙ୍କ ହାତ ଗୋଡ ଭାଙ୍ଗି ଦେଇଥିଲେ । ମହିଳାଙ୍କ ଗୁପ୍ତାଙ୍ଗରେ ଏକ ଲୁହାର ରଡ଼ ଭର୍ତ୍ତି କରି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।