ମହାରାଷ୍ଟ୍ର: ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଶିଶୁମାନଙ୍କ ବୟସ ପ୍ରାୟ ଗୋଟିଏ ଦିନରୁ ୩ ମାସ ମଧ୍ୟରେ ହୋଇଥିବା ସୂଚନା ରହିଛି ।

ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ନ୍ୟୁ ବର୍ଣ୍ଣ ନେଟାଲ ୱାର୍ଡ଼ରେ ଅଗ୍ନିକାଣ୍ଡ ଘଟିଥିଲା । ୱାର୍ଡ଼ରୁ ଧୂଆଁ ବାହାରୁଥିବାର ଜଣେ ନର୍ସ ଦେଖିବା ପରେ ଘଟଣାସ୍ଥଳରେ ସମସ୍ତେ ପହଞ୍ଚିଥିଲେ । ଯାହାପରେ ତୁରନ୍ତ ମେଡିକାଲର ଉପରସ୍ଥ ଅଧିକାରୀଙ୍କୁ ଘଟଣା ବିଷୟରେ ଖବର ଦିଆଯିବ ସହ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ଉଦ୍ଧାର ପରେ ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୭ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କୁ ନିକଟରେ ଥିବା ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଡ଼ା ତଦନ୍ତ ନିର୍ଦେଶ ଦେବା ସହ ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି | ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି |