Odia News Portal

ଓଡ଼ିଆ ପୁଅ ସୁବ୍ରତ ସାହୁଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର: ୧୯୯୨ ବ୍ୟାଚ୍‌ର ଓଡ଼ିଆ ଆଇଏଏସ୍‌ ଅଧିକାରୀ ସୁବ୍ରତ ସାହୁ ଏବେ ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ତୁଲାଇବେ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଆଇଏଏସ୍‌ ସୁବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ଓ ଜେଲ୍‌ ପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇଟି, ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଏହା ପୂର୍ବରୁ ସେ ଛତିଶଗଡ଼ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦକ୍ଷତା ଓ ସ୍ୱଚ୍ଛତାର ସହ ନିର୍ବାଚନ ପରିଚାଳନା କରିଥିଲେ । ଏଥିପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ଶ୍ରୀ ସାହୁ ପ୍ରାଶାସନିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି ।