ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୧୭ ତାରିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଯଦିଓ ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମ ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଘୋଷଣା କରି ସାରିଛନ୍ତି କିନ୍ତୁ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସମୟରେ କଂଗ୍ରେସ ତା’ର ବିରୋଧି ଦଳକୁ ମଧ୍ୟ ନିମନ୍ତ୍ରଣ କରିବ ବୋଲି କୁହାଯାଉଛି। ଏହାସହ କଂଗ୍ରେସକୁ ସମର୍ଥନ କରୁଥିବା ଦଳମାନଙ୍କୁ ମଧ୍ୟ ଏହି ସମାରୋହରେ ଯୋଗ ଦେବାକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବ। ତେବେ ବିରୋଧି ଦଳର କେହି ନେତା ଯଦି ନ ଆସି ପାରନ୍ତି ତେବେ ସେମାନଙ୍କ ପ୍ରତିନିଧିଙ୍କୁ ପଠାଇ ପାରିବେ। ଗୋଟିଏ ଦିନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଜୟପୁରରେ ଏହା ସକାଳ ୧୦ଟା, ଭୋପାଳରେ ଅପରାହ୍ନ ୧ଟା ୩୦ ଓ ରାୟପୁରରେ ସନ୍ଧ୍ୟା ୬ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।