Odia News Portal

ରୁଷିଆରୁ ଭାରତର ଅଶୋଧିତ ତୈଳ ଆମଦାନୀରେ ରେକର୍ଡ ବୃଦ୍ଧି

ମଧ୍ୟପ୍ରାଚ୍ୟରେ ତୈଳ ଯୋଗାଣ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପୂର୍ବରୁ ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀକୁ ବଡ଼ ମାତ୍ରାରେ ବଢ଼ାଇଛି। ସାମୁଦ୍ରିକ ଗୋଇନ୍ଦା ସଂସ୍ଥା ‘କେପ୍ଲର’ର ତଥ୍ୟ ଅନୁଯାୟୀ, ଚଳିତ ଜୁନ୍ ୧ରୁ ୧୯ ତାରିଖ ମଧ୍ୟରେ ଭାରତ ପ୍ରତିଦିନ ହାରାହାରି ୨୬.୬ ଲକ୍ଷ ବ୍ୟାରେଲ୍ ରୁଷିଆ ତୈଳ ଆମଦାନୀ କରିଛି। ମେ’ ମାସରେ ଏହି ପରିମାଣ ଥିଲା ୧୯.୧ ଲକ୍ଷ ବ୍ୟାରେଲ୍। ଏହି ବୃଦ୍ଧି ସହ ଭାରତର ସର୍ବବୃହତ୍ ତୈଳ ଯୋଗାଣକାରୀ ଦେଶ ଭାବେ ରୁଷିଆ ନିଜ ସ୍ଥାନକୁ ଆହୁରି ମଜବୁତ କରିଛି। ୟୁଏଇ ଦୈନିକ ୬.୩୬ ଲକ୍ଷ ବ୍ୟାରେଲ୍ ସହ ଦ୍ୱିତୀୟ, ସାଉଦି ଆରବ ୩.୮୪ ଲକ୍ଷ ବ୍ୟାରେଲ୍ ସହ ତୃତୀୟ ଏବଂ ଭେନେଜୁଏଲା ୨.୦୯ ଲକ୍ଷ ବ୍ୟାରେଲ୍ ସହ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଆମେରିକାରୁ ତୈଳ ଆମଦାନୀ କମି ଦୈନିକ ୯୧ ହଜାର ବ୍ୟାରେଲ୍‌ରେ ପହଞ୍ଚିଛି।

ଇରାନ ଦ୍ୱାରା ରଣନୀତିକ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଜଳପଥ ବନ୍ଦ ହେବା ପରେ ବିଶ୍ୱ ତୈଳ ବଜାର ପ୍ରଭାବିତ ହୋଇଥିଲା। ତେବେ ଆମେରିକା ଓ ଇରାନ ମଧ୍ୟରେ ସାମୟିକ ଯୁଦ୍ଧବିରତି ପରେ ଏହି ପଥ ଦେଇ ପୁଣି ଯୋଗାଣ ସ୍ୱାଭାବିକ ହେବା ଆରମ୍ଭ ହୋଇଛି। ଭାରତୀୟ ପତାକାଧାରୀ ତିନୋଟି ତୈଳ ଟ୍ୟାଙ୍କର ଏବଂ ଗୋଟିଏ ଏଲଏନଜି ଜାହାଜ ମଧ୍ୟ ଯାତ୍ରା ପୁନଃ ଆରମ୍ଭ କରିଛି।ବିଶେଷଜ୍ଞମାନଙ୍କ ମତରେ, ହରମୁଜ୍ ଜଳପଥ ଖୋଲିବା ଦ୍ୱାରା ଭାରତର ଏଲପିଜି ଯୋଗାଣ ଉପରେ ଥିବା ଚାପ କମିବ। କାରଣ ଭାରତ ନିଜର ଏଲପିଜି ଆବଶ୍ୟକତାର ପ୍ରାୟ ୬୫ ପ୍ରତିଶତ ଆମଦାନୀ କରୁଥିବା ବେଳେ ତାହାର ୯୦ ପ୍ରତିଶତ ଗଲ୍ଫ ଦେଶରୁ ଆସିଥାଏ।

ରୁଷିଆରୁ ମିଳୁଥିବା ରିହାତି ମୂଲ୍ୟ ଓ ଭାରତର ସ୍ଥିର ଚାହିଦାକୁ ଦେଖି ଆଗାମୀ ଦିନରେ ମଧ୍ୟ ରୁଷିଆ ଭାରତର ତୈଳ ଆମଦାନୀ ରଣନୀତିର ଏକ ପ୍ରମୁଖ ଅଂଶ ହୋଇ ରହିବ ବୋଲି ଆକଳନ କରାଯାଉଛି। ତେବେ ବିଶ୍ୱ ବଜାରରେ ତେଲ ଦର ସ୍ଥିର ରଖିବା ଏବଂ ପରିବହନ ଖର୍ଚ୍ଚ କମାଇବା ପାଇଁ ହରମୁଜ୍ ଜଳପଥର ସ୍ଥିରତା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।