କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜାତୀୟ ନିରାପତ୍ତା, ଆତଙ୍କବାଦୀ କାର୍ୟ୍ୟକଳାପ କିମ୍ବା ଗୁରୁତର ଅପରାଧ ମାମଲାରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି, ସିବିଆଇ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ, ଏନ୍ଆଇଏ, କ୍ୟାବିନେଟ୍ ସଚିବ(ର’), ଡିରେକ୍ଟରେଟ୍ ଅଫ୍ ସିଗନାଲ ଇଣ୍ଟଲିଜେନ୍ସ ଓ ଦିଲ୍ଲୀର ପୁଲିସ୍ କମିଶନର ଯେ କୌଣସି ବ୍ୟକ୍ତି କିମ୍ବା ସର୍ଭିସ ପ୍ରୋଭାଇଡରଙ୍କ କମ୍ପ୍ୟୁଟର ଚାହିଁଲେ ଯାଞ୍ଚ କରିପାରିବ। ଏଥିସହ ଏଥିରେ ଥିବା ତଥ୍ୟକୁ ତର୍ଜମା କରିପାରିବ କିମ୍ବା ନିଜ ପାଖକୁ ଆଣିପାରିବେ।
ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଏବଂ ସର୍ଭିସ ପ୍ରୋଭାଇଡର ସମସ୍ତ ପ୍ରକାରର ବୈଷୟିକ ସହାୟତା କରିବେ। ଯଦି କେହି ଏଥିରେ ଅସହଯୋଗ କରେ, ତା’ହେଲେ ତାଙ୍କୁ ୭ ବର୍ଷ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ତେବେ କମ୍ପ୍ୟୁଟର ଯାଞ୍ଚ କରିବା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଏଥିପାଇଁ ଅନୁମତି ଦେବା ଦରକାର। ସେହିପରି ଲାଇଭ୍ ଫୋନ୍ କଲ୍ ଏବଂ ମେସେଜ୍ ଉପରେ କୌଣସି ନଜର ରଖାଯିବ ନାହିଁ ଏବଂ ଏହା କେବଳ ଷ୍ଟୋର କରାଯାଇଥିବା ଡାଟା ପାଇଁ ପ୍ରଯୁଜ୍ୟ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜଣେ ବ୍ୟକ୍ତିଙ୍କ ଇମେଲ୍ କିମ୍ବା ଫୋନ୍ କଲ୍ର ଯାଞ୍ଚ କରିପାରୁ ଥିଲା। ଏବେ ନୂଆ ବିଜ୍ଞପ୍ତି ଅନୁସାରେ, ଫୋନ୍ କଲ୍ ଏବଂ ଇମେଲ୍ ସହ କମ୍ପ୍ୟୁଟରେ ସଂରକ୍ଷିତ ତଥ୍ୟ ମଧ୍ୟ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିପାରିବ। ଦରକାର ପଡ଼ିଲେ କମ୍ପ୍ୟୁଟରକୁ ଜବତ ମଧ୍ୟ କରିବାର କ୍ଷମତା ସଂସ୍ଥା ରହିଛି। ସୂଚନା ଓ ପ୍ରଯୁକ୍ତି ଆଇନ୍ ୨୦୦୦ର ୬୯(୧) ଅନୁଯାୟୀ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏଭଳି ଅଧିକାର ଦିଆଯାଇଛି।
ତେବେ ସରକାରଙ୍କ ଏଭଳି ବିଜ୍ଞପ୍ତି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି।
କଂଗ୍ରେସ, ସିପିଏମ୍, ଟିଏମସି, ସପା ଓ ଆରଜେଡି ପକ୍ଷରୁ ମୋଦି ସରକାର ଦେଶରେ ତାଲିବାନ ଶାସନ ପ୍ରଣୟନ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, “ ଏଭଳି ବିଜ୍ଞପ୍ତି ବ୍ୟକ୍ତିଗତ ସ୍ୱାଧୀନତା ବିରୋଧୀ। ବ୍ୟକ୍ତିଗତ ସ୍ୱାଧୀନତା ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ସରକାର ଏହାକୁ ସଙ୍କୁଚିତ କରିବାକୁ ଚାହୁଁଛନ୍ତି। ଗଣତନ୍ତ୍ରରେ ଏଭଳି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖିବା ଆଦୌ ଗ୍ରହଣୀୟ ନୁହେଁ।”
Sign in
Sign in
Recover your password.
A password will be e-mailed to you.
