Odia News Portal

ନବୀନଙ୍କୁ ସମର୍ଥନ ଜଣାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ (୩୩%) ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମହତ୍‌ ଅଭିଯାନ ଆରମ୍ଭ କରିଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହିପରି ପଞ୍ଜାବ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ପାରିତ ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ପୂର୍ବରୁ ଚିଠି ଲେଖିଥିଲେ। ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ମହିଳାମାନେ ସଶକ୍ତ ନହେଲେ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ଅଗ୍ରଗତି କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଥିଲେ। ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ଉଦ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କର ସହଯୋଗ ମହିଳା ସଶକ୍ତିକରଣକୁ ନୂତନ ମାର୍ଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ। ଏହି କ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ସେହିପରି ଏହି ବିଲ୍‌ର ସମର୍ଥନ ପାଇଁ ବିଜେଡିର ୨୧ ଟି ପ୍ରତିନିଧି ଦଳ ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟି ସଂସଦରେ ସମର୍ଥନ ଦେବାକୁ ଅନୁରୋଧ କରୁଛନ୍ତି। ତେବେ ଓଡ଼ିଶା ବିଧାନସଭାରେ ଏନେଇ ପୂର୍ବରୁ ସଂକଳ୍ପ ପାରିତ ହୋଇସାରିଛି।