ଋଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିବାବେଳେ ୟୁକ୍ରେନ ସୀମାରେ ଋଷିଆ ନିଜର ସୈନ୍ୟ ସଂଖ୍ୟା ବଢାଇଚାଲିଛି । ଏହା ସହିତ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷୀୟ ସେନାର ପ୍ରସ୍ତୁତି ଶେଷ ହୋଇଛି । କେବଳ ପୁଟିନଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ ଆରମ୍ଭ ହୋଇପାରେ ବୋଲି ୟୁକ୍ରେନ ସେନା ପକ୍ଷରୁ ଆକଳନ କରାଯାଇଛି । କ୍ରିମିଆ ଉପଦ୍ୱୀପରେ ଋଷିଆ ଗତ ସପ୍ତାହରେ ଆଉ ୧୦ ହଜାର ସୈନ୍ୟ ମୁତୟନ କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ପଦାତିକ ସୈନ୍ୟ ଓ ସ୍ୱତନ୍ତ୍ର ପ୍ରଶିକ୍ଷିତ କମାଣ୍ଡୋ । ଯେକୌଣସି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୪ରେ ଋଷିଆ ଏହି କ୍ରିମିଆ ଉପଦ୍ୱୀପକୁ ୟୁକ୍ରେନ ଠାରୁ ଛଡାଇ ଆଣିଥିଲା । ୟୁକ୍ରେନ ସେନା ପକ୍ଷରୁ ସଂଗ୍ରହ କରାଯାଇଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ ଗତ କିଛି ସପ୍ତାହରେ କ୍ରିମିଆ ଅଞ୍ଚଳରେ ଋଷିଆ ନିଜ ସୈନ୍ୟ ସଂଖ୍ୟା ଯଥେଷ୍ଟ ବୃଦ୍ଧି କରିଛି । କେତେକ ଅନ୍ତର୍ଜାତୀୟ ବିଶେଷଜ୍ଞ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଋଷିଆ ୟୁକ୍ରେନ ଉପରେ ଚଢଉ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିସାରିଛି । ଏପରିକି ସୀମାନ୍ତ ଅଞ୍ଚଳରେ ଋଷିଆ ପକ୍ଷରୁ ଅସ୍ଥାୟୀ ହସପିଟାଲମାନ ସ୍ଥାପନ କରାଯାଇଛି । ଏହା ସହିତ ୟୁକ୍ରେନର ଯୋଗାଯୋଗ ବ୍ୟବସ୍ଥାକୁ ଅକାମି କରିବାକୁ ଇଲେକ୍ଟ୍ରୋନିକ ସିଷ୍ଟମ ଲଗାଯାଇଛି ।
