Odia News Portal

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା

ଥିରୁଭାନନ୍ଥପୁରମ୍‌: କେରଳର ସାବରିମାଲା ମନ୍ଦିରରେ ବୁଧବାର ଭୋର୍‌ ୩ଟା ୪୫ରେ ଦୁଇ ମହିଳା ଗୁପ୍ତରେ ପ୍ରବେଶ କରି ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ଏହାଦ୍ୱାରା ଏଠାରେ ପ୍ରଚଳିତ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୫୦ ବର୍ଷରୁ କମ୍‌ ବୟସ୍କ ଦୁଇ ମହିଳାଙ୍କୁ ଗର୍ଭଗୃହରେ ପ୍ରବେଶ କରାଯାଇଥିବା କୁହାଯାଉଛି। ହ୍ବାଟସ୍‌ ଆପ୍‌ରେ ଅପଲୋଡ୍‌ ହୋଇଥିବା ଏକ ଭିଡ଼ିଓରେ ଦୁଇ ମହିଳା କଳାପୋଷାକ ପିନ୍ଧି ମନ୍ଦିର ଗର୍ଭଗୃହରେ ପୋଲିସ ସହିତ ପ୍ରବେଶ କରି କେଇ ମିନିଟ୍‌ ମଧ୍ୟରେ ଦର୍ଶନ ସାରି ଫେରିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ହୁଏତ ମିଥ୍ୟା ହୋଇଥାଇପାରେ ବୋଲି ଆୟପ୍ପା ଧର୍ମ ସେନାର କର୍ମୀ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟ ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ସବୁଜ ସଙ୍କେତ ଦେବାପରେ ଏହାକୁ ନେଇ ବିରୋଧ ହୋଇଥିଲା।