ଆଜି ଗୋଆ ଓ ଉତ୍ତରାଖଣ୍ଡରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏଥିରେ ନୂଆ ନେତା ନିର୍ବାଚନ କରାଯିବ । ଯେକି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗୋଆରେ ଅପରାହ୍ନ ୪ଟାରେ ଏହି ବୈଠକ ବସିବ । ଏହା ପରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳ ପି.ଏସ୍. ଶ୍ରୀଧରନ ପିଲାଇଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇବେ । ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର, ସହପର୍ଯ୍ୟବେକ୍ଷକ ଏଲ୍ ମୁରୁଗନ, ଗୋଆ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନବିସ୍, ଡେସ୍କ ଇନ୍-ଚାର୍ଜ ସିଟି ରବି ପ୍ରମୁଖ ଉପସ୍ଥିତ ରହିବେ ।
ରାଜ୍ୟପାଳଙ୍କୁ ଭେଟିବା ପରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ସ୍ଥିର ହେବ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଗୋଆର ମୋଟ ୪୦ ଆସନରୁ ବିଜେପି ୨୦ଟିରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି । ବିଜେପିକୁ ୩ ଜଣ ସ୍ୱାଧୀନ ଏବଂ ଏମ୍ଜିପିର ୨ ଜଣ ବିଧାୟକ ସମର୍ଥନ ଘୋଷଣା କରିଛନ୍ତି । ସେହିଭଳି ଉତ୍ତରାଖଣ୍ଡରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସ୍ପେନ୍ସ ଲାଗି ରହିଛି ।
ସୋମବାର ସନ୍ଧ୍ୟାରେ ଡେରାଡୁନରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ବସି ନୂଆ ନେତା ବଛାଯିବ । ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ମୀନାକ୍ଷି ଲେଖି ବୈଠକରେ ଉପସ୍ଥିତ ରହିବେ । ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ଓ ୧୧ କ୍ୟାବିନେଟ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।
