Odia News Portal

କଟକ ମହାନଗର ନିଗମ ନିର୍ବାଚନ: ବିଜେଡିର ବିପୁଳ ବିଜୟ, ବହୁ ପଛରେ ରହିଲେ କଂଗ୍ରେସ-ବିଜେପି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ କଟକ ମହାନଗର ନିଗମ ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ। ବହୁ ପଛରେ ପଡି ଯାଇଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। କଟକ ମହାନଗର ନିଗମର ଭୋଟ୍ ଗଣତି ଶେଷ ହୋଇଛି ଏବଂ ୫୯ଟି ଓ୍ଵାର୍ଡର ଫଳାଫଳ ଘୋଷଣା ହୋଇଛି। ୩୮ଟି ଓ୍ଵାର୍ଡ ଜିତି ପୁଣି ସିଏମସି ଦଖଲ କରିଛି ବିଜେଡି। ମେୟର ପଦରେ ମଧ୍ୟ ବିଜେଡିର ପ୍ରାର୍ଥୀ ସୁବାସ ସିଂହ ଜିତିବା ଆପାତଃ ସ୍ପଷ୍ଟ ହୋଇଛି। ହେଲେ ଏହାର ଆନୁଷ୍ଠାନିକ ଘୋଷଣା ବାକି ରହିଛି।

କଟକ ମହାନଗର ନିଗମର ମୋଟ୍ ୫୯ଟି ଓ୍ଵାର୍ଡରୁ ୩୮ଟି ଓ୍ଵାର୍ଡ ଦଖଲ କରିଛି ବିଜେଡି। ବହୁ ପଛରେ ରହି ଯାଇଥିବା କଂଗ୍ରେସ ୮ଟି ଏବଂ ବିଜେପି ୭ଟି ଓ୍ଵାର୍ଡରେ ଜିତିବାକୁ ସକ୍ଷମ ହୋଇଛନ୍ତି। ସ୍ଵାଧୀନ ଖାତାକୁ ଯାଇଛି ୬ଟି ଓ୍ଵାର୍ଡ। ସେହିପରି ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ୫୫୭୨୨ ଭୋଟ୍ ପାଇ ଆଗରେ ରହିଛନ୍ତି। ତାଙ୍କୁ ଆରମ୍ଭରୁ କଡା ଟକ୍କର ଦେଇଥିବା କଂଗ୍ରେସ ପ୍ରାର୍ଥୀ ଗିରିବାଳ ବେହେରା ୩୩୪୬୨ ଭୋଟ୍ ପାଇ ଦ୍ଵିତୀୟ ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୧୯୧୨୩ ଭୋଟ୍ ପାଇ ତୃତୀୟରେ ଅଛନ୍ତି।