ରାଜ୍ୟ କଂଗ୍ରେସର କିଏ ଧରିବେ ମଙ୍ଗ? ଏବେଠାରୁ ଦିଲ୍ଲୀ ଦରବାରରେ ଜୋରଦାର ଲବି । ପିସିସି ସଭାପତି ରେସ୍ରେ ଅଛନ୍ତି ଅନେକ ନେତା । ସେମାନଙ୍କ ମଧ୍ୟରୁ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା । ରାଜ୍ୟ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ପାଇଁ କଂଗ୍ରେସ ହାଇକମାଣ୍ଡ ବି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଓଡ଼ିଶାର ଜଣକ ପରେ ଜଣେ ହେଭିୱେଟ୍ ନେତାଙ୍କୁ ହାଇକମାଣ୍ଡ ଭେଟୁଛନ୍ତି । ରାଜ୍ୟ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଓ ବରିଷ୍ଠ ନେତାଙ୍କୁ ନେଇ ଦୁଇଟି ବର୍ଗ କରାଯାଇଛି। ସେମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଛନ୍ତି ହାଇକମାଣ୍ଡ। ନିର୍ବାଚିତ ପ୍ରତିନିଧିଙ୍କ ତାଲିକାରେ ରହିଛି ବିଧାୟକ ମହମ୍ମଦ ମୋକିମ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ। ସେହିପରି ବରିଷ୍ଠ ନେତାଙ୍କ ତାଲିକାରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା ।
୨୦୧୯ ନିର୍ବାଚନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହାଇକମାଣ୍ଡଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ସେତେବେଳେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ଅଦଳବଦଳ କରିନଥିଲେ ହାଇକମାଣ୍ଡ। ଏଥର ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ୟ୍ୟୟ ଘଟିଛି । ତା ସାଙ୍ଗକୁ ସାରା ଦେଶରେ ଏବେ କଂଗ୍ରେସ ସଙ୍ଗଠନ ସ୍ତରରେ ଅଦଳବଦଳ କରୁଛି । ଆଗକୁ ୨୦୨୪ ନିର୍ବାଚନ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସକୁ ଖୁବଶୀଘ୍ର ନୂଆ ମୁଖିଆ ମିଳିବ ବୋଲି କୁହାଯାଉଛି। ଖୁବଶୀଘ୍ର କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିପାରେ । ଏଥର ଉପକୂଳ ଓଡ଼ିଶା ନା ପଶ୍ଚିମ ଓଡ଼ିଶାରୁ ନୂଆ ପିସିସି ସଭାପତି ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Sign in
Sign in
Recover your password.
A password will be e-mailed to you.
