Odia News Portal

ଭାରତ ଗସ୍ତରେ ଆସିବେ ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷା

ୟୁରୋପୀୟ କମିଶନ୍ ଅଧ୍ୟକ୍ଷା ଉର୍ତ୍ସଲା ଓ୍ବାନ ଡର ଲେନ୍ ଭାରତ ଗସ୍ତରେ ଆସିବେ। ସେ ୨୪ ଓ ୨୫ ଏପ୍ରିଲରେ ଦୁଇ ଦିବସୀୟ ଯାତ୍ରାରେ ଭାରତ ଆସିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର କହିବା ଅନୁସାରେ, ସେ ନିଜର ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ। ଏହା ସହିତ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ।

ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ତାଙ୍କୁ ରାଇସିନା ଡାଇଲଗରେ ଚଳିତ ବର୍ଷର ସଂସ୍କରଣ ପାଇଁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଛି। ସେ ୨୫ ଏପ୍ରିଲରେ ଉଦଘାଟନ ଅଧିବେଶନକୁ ସମ୍ବୋଧିତ କରିବେ। ୟୁରୋପୀୟ କମିଶନ୍‌ ଅଧ୍ୟକ୍ଷାଙ୍କ ଯାତ୍ରା, ପ୍ରଗତିର ସମୀକ୍ଷା କରିବା ଓ ୟୁରୋପୀୟ ସଂଘ ସହିତ ବହୁମୁଖୀ ସହଭାଗୀତା ଆହୁରି ଦୃଢ କରିବାର ସୁଯୋଗ ମିଳିବ।

ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ଓ ୟୁରୋପୀୟ ସଂଘ ରଣନୈତିକ ବୁଝାମଣା କରନ୍ତି। ଦୁହିଁଙ୍କ ଭିତରେ ଏହି ବୁଝାମଣା ରାଜନୈତିକ ଓ ସାମରିକ, ବ୍ୟାପାର ଓ ବାଣିଜ୍ୟ,ଜଳବାୟୁ ଓ ସ୍ଥିରତା, ଡିଜିଟାଲ ଓ  ଟେକ୍ନୋଲୋଜି ଦିଗଗୁଡିକ ସହିତ ଲୋକଙ୍କ ସମ୍ପର୍କରେ ବ୍ୟାପକ ଓ ଗହନ ସହଯୋଗ ସହିତ ମଜବୁତ ବିକାଶ ଦେଖିବାକୁ ମିଳୁଛି। ଉଲ୍ଲେଖନୀୟ ଯେ, ରାଇସିନା ଡାଇଲଗ୍‌ର ଆରମ୍ଭ ୨୦୧୬ ରେ କରାଯାଇଥିଲା। ରାଇସିନା ଡାଇଲଗ୍ ହେଉଛି ଏକ ବାର୍ଷିକ ସମ୍ମିଳନୀ, ଯେଉଁଥିରେ ଭୂ-ରାଜନୈତିକ ଏବଂ ଭୂ-ଆର୍ଥିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଥାଏ।