ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଉଛି । ରାଜ୍ୟର ପ୍ରଗତି ଏବଂ ବିକାଶର ମୂଳଦୁଆ ଥିବା ଶ୍ରମିକଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଦିଆଯାଇଛି । ରାଜ୍ୟସ୍ତରୀୟ ସମାରୋହ ପାଳନ ଅବସରରେ ଶୁଭାରମ୍ଭ ହୋଇଛି ଶ୍ରମିକଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବା । ଏଥିରେ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅନଲାଇନ୍ ପୋର୍ଟାଲ, ଶ୍ରମ ନିର୍ଦ୍ଦେଶାଳୟର ନୂତନ ୱେବସାଇଟ୍, କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ନୂତନ ୱେବସାଇଟର ଶୁଭାରମ୍ଭ ହୋଇଛି ।
୩୫ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ ଅଧିନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ।
ରାଜ୍ୟ ସରକାରଙ୍କ 5T ଉପକ୍ରମରେ ପରିଶ୍ରମ ପୋର୍ଟାଲ କାର୍ଯ୍ୟକାରୀ କରାଯାଇ ୫୨ଟି ବିଭିନ୍ନ ସେବା ଅନଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଏହି ପୋର୍ଟାଲ ଜରିଆରେ ୧୬ ହଜାର ୫୦୦ରୁ ଅଧିକ ସେବା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାର ଶ୍ରମିକଙ୍କ ବିକାଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
