ଗ୍ରୀଷ୍ମ ଦିନେ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ। କେଉଁଠି କୋଇଲା ଅଭାବରୁ ବିଜୁଳି ଉତ୍ପାଦନ ହୋଇପାରୁନି ତ କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପ ବେଳେ ଏଭଳି ଅବସ୍ଥା ଯୋଗୁଁ ସମସ୍ତେ ହନ୍ତସନ୍ତ। ତା ଉପରେ ପୁଣି ସାଧାରଣ ଲୋକଙ୍କ ପକେଟ୍ ଖାଲି କରି ଦେଉଥିବା ବିଜୁଳି ବିଲ୍। ହେଲେ ଏ ଦିଗରେ ବ୍ୟତିକ୍ରମ ସାଜିଥିବା ଆମ ରାଜ୍ୟ ଓଡ଼ିଶାରେ ଏବେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଆଉ ଏକ ଆଦର୍ଶ ପଦକ୍ଷେପକୁ ବାସ୍ତବ ରୂପ ଦିଆଯାଉଛି। ସାଧାରଣ ବିଦ୍ୟୁତ୍ ସଂଯୋଗ ଉପରେ ନିର୍ଭର ନହୋଇ ପାଠପଢ଼ା କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଥିବା ୫-ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଗୁଡ଼ିକୁ ଏବେ ବିଜୁଳି ଶକ୍ତି ପାଇଁ ଆତ୍ମନିର୍ଭରଶୀଳ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାହାର ମାଧ୍ୟମ ପାଲଟିଛି ସୌର ଶକ୍ତି ଉତ୍ପାଦନ ୟୁନିଟ୍। ସାରା ରାଜ୍ୟରେ ୫-ଟି ଟ୍ରାନ୍ସଫର୍ମେସନ୍ ଜରିଆରେ ନବକଳେବର ପାଇଥିବା ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟଗୁଡ଼ିକରେ ଏବେ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯାଉଛି। ଏହି ସୋଲାର୍ ୟୁନିଟ୍ରୁ ଉତ୍ପନ୍ନ ହେଉଥିବା ବିଦ୍ୟୁତ୍ ଶକ୍ତି ଜରିଆରେ ଶିକ୍ଷାନୁଷ୍ଠାନଗୁଡ଼ିକର ବିଭିନ୍ନ ବିଜୁଳିଜନିତ ଆବଶ୍ୟକତା ଅନେକମାତ୍ରାରେ ପୂରଣ ହୋଇପାରୁଛି। ସେମାନଙ୍କୁ ଆଉ ସାଧାରଣ ବିଦ୍ୟୁତ୍ ସଂଯୋଗ ଉପରେ ଅଧିକ ନିର୍ଭର କରିବାକୁ ପଡୁନି।
ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ, ଜଳସମ୍ପଦ ସଚିବ ଅନୁ ଗର୍ଗ ପ୍ରମୁଖ କୁକୁଡ଼ାଖଣ୍ଡି ବ୍ଲକ୍ର ପୁରୁଣାପାଟଣା ଉଚ୍ଚବିଦ୍ୟାଳୟ ଠାରେ ଏଭଳି ସୋଲାର୍ ୟୁନିଟ୍ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲାର ୫୫୦ଟି ବିଦ୍ୟାଳୟ ନିମନ୍ତେ ସୌର-ଶକ୍ତି ପ୍ରକଳ୍ପକୁ ଶୁଭାରମ୍ଭ କରିବା ଅବସରରେ ୫-ଟି ସଚିବ କହିଛନ୍ତି ଯେ, ସ୍କୁଲରେ ସବୁଜ ଶକ୍ତିର ବ୍ୟବହାର ଅତି ଉଚ୍ଚମାନର ପଦକ୍ଷେପ। ଏହା ମାଧ୍ୟମରେ ବିଦ୍ୟାଳୟମାନେ ଦିନତମାମ ନିରବଚ୍ଛିନ୍ନ ବିଦ୍ୟୁତ୍ ପାଇପାରିବେ ଯାହାକି ଶିକ୍ଷାଗ୍ରହଣ ପାଇଁ ବେଶ ଫଳପ୍ରଦ ହେବ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ବ୍ଲକର ପୋଚିଲିମା ଓ ମକରଝୋଳ ହାଇସ୍କୁଲରେ ମଧ୍ୟ ଏଭଳି ୟୁନିଟ୍ କାର୍ଯ୍ୟକ୍ଷମ ହୋଇସାରିଛି। ଏହାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିକଟରେ ଉଦ୍ଘାଟନ କରିଥିଲେ। ଆସନ୍ତା ୨ ମାସ ମଧ୍ୟରେ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍ ତଥା ହିଞ୍ଜିଳି ପୌରାଞ୍ଚଳର ସମସ୍ତ ଉଚ୍ଚବିଦ୍ୟାଳୟରେ ଏଭଳି ସୋଲାର୍ ୟୁନିଟ୍ ସ୍ଥାପନ କରାଯିବ। ସେହିପରି ୬ ମାସ ମଧ୍ୟରେ ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।
