Odia News Portal

ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ

ପ୍ରେମିକାର ଧୋକାକୁ ସହି ପାରିଲାନି ପ୍ରେମିକ | ଶେଷ ନେଇଛି ଚରମ ପଦକ୍ଷପ | ମୃତ୍ୟୁକୁ ଆଲିଙ୍ଗନ କରିଛି ପ୍ରେମରେ ଧୋକା ଖାଇଥିବା ପ୍ରେମିକ | ନିଜ ହାତରେ ନିଜ ହାତ ସିରା କାଟିବା ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି | ଖୋର୍ଦ୍ଧା ଜିଲ୍ଲା କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ସୌମ୍ୟରଞ୍ଜନ ପରିଡ଼ା। ତାଙ୍କ ଘର ପୁରୀ ଜିଲ୍ଲା ଗଡ଼ିସାଗଦା ଅଞ୍ଚଳରେ |

ତେବେ ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ କରି ନିଜ ମନର ବେଦନାକୁ ପ୍ରକାଶ କରିଛନ୍ତି …

“ ତୁ ମୋତେ ଭୁଲି ଗଲୁ, କିନ୍ତୁ ମୁଁ ତୋତେ ଭୁଲି ପାରୁ ନାହିଁ। ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ମୋ ବାବା, ମମିଙ୍କୁ ବହୁତ ଭଲ ପାଏ। ବାବା ମମି ମୋତେ କ୍ଷମା କରିଦେବ। ମୁଁ ଜାଣିପାରୁ ନାହିଁ କ’ଣ ସବୁ କରୁଛି? ଆଉ ମାତ୍ର କିଛି ସମୟ ବଞ୍ଚିବି।” କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’…

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରିଥିଲେ। ସାଙ୍ଗର ବିବାହ ପାଇଁ ୩ରୁ୪ ଦିନ ହେବ ଘରକୁ ଆସିଥିଲେ। ଗତକାଲି ରାତିରେ ଶିରା କାଟି ନିଜ ଭିତରେ ଥିବା ଯନ୍ତ୍ରଣାକୁ ଏକ ଭିଡ଼ିଓ କରି ନିଜ ମୋବାଇଲ ଷ୍ଟାଟସରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଭଉଣୀ ମଧ୍ୟ ନିଜ ଅବୁଝା ଭାଇକୁ ବହୁତ କିଛି ବୁଝାଇଥିଲା। ହେଲେ ସୌମ୍ୟରଞ୍ଜନ କିଛି ବୁଝି ନଥିଲେ। ପରେ ସେ ଟ୍ରେନ୍ ଆଗକୁ ଡେଁଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭିଣୋଇ କହିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୌମ୍ୟରଞ୍ଜନ କେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସଂପୃକ୍ତ ଯୁବତୀଙ୍କୁ ପୁଲିସ ଖୋଜି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସୌମ୍ୟଙ୍କ ପରିବାର ଲୋକେ ଦାବି କରିଛନ୍ତି। ସୌମ୍ୟରଞ୍ଜନ ଘରର ବଡ଼ ପୁଅ ଥିଲେ।