Odia News Portal

ବିଜେପି ନେତା ମୋହିତ କାମବୋଜଙ୍କ ବିରୋଧରେ ଠକେଇ ଅଭିଯୋଗ

ବିଜେପି ନେତା ମୋହିତ କାମବୋଜଙ୍କ ବିରୋଧରେ ଠକେଇ ଅଭିଯୋଗ । ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ମୁମ୍ବାଇ ସଭାପତି ମୋହିତ କାମବୋଜ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ତେବେ ମୋହିତ ଏହି ଏଫଆଇଆରକୁ ନକଲି ଓ ତାଙ୍କ ସ୍ୱରକୁ ଚାପି ଦେବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇରେ ଥିବା ଗୋଟିଏ ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ମ୍ୟାନେଜର ପ୍ରଥମେ ମୋହିତ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ମୋହିତ ଓ ତାଙ୍କର ଦୁଇ ଜଣ ସହଯୋଗୀ ନିଜକୁ ଗୋଟିଏ କମ୍ପାନୀର ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ୫୨ କୋଟି ଟଙ୍କାର ଋଣ ନେଇଥିଲେ। ତେବେ ସେମାନେ ଋଣ ଯେଉଁ ଉଦ୍ଦେଶ୍ୟ ଆଣିଥିଲେ, ତା’କୁ ଅଲଗା ବାଟରେ ବ୍ୟବହାର କରିଥିବା ମ୍ୟାନେଜର ଜଣଙ୍କ ପୁଲିସ୍‌କୁ କହିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ଏମଆରଏ ମାର୍ଗ ପୁଲିସ୍ ମଙ୍ଗଳବାର ମୋହିତ ଓ କମ୍ପାନୀର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ୪୨୦ ଓ ୪୦୯ ଧାରା ଅନୁଯାୟୀ ଏଫଆଇଆର ରୁଜୁ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି। ପୁଲିସ୍‌ର ଏପରି ଏଫଆଇଆର ପରେ ମୋହିତ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସହରର ପୁଲିସ୍‌ କମିଶନର ସଞ୍ଜୟ ପାଣ୍ଡେ ତାଙ୍କ ନାଁରେ ମନଗଢ଼ା କାହାଣୀ ରଚନା କରି ଏଫଆଇଆର ରୁଜୁ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଏଫଆଇଆର ରୁଜୁ କରି ତାଙ୍କ ସ୍ୱରକୁ ଚାପି ଦେବା ପାଇଁ ଚାଲିଥିବା ଉଦ୍ୟମ କେବେ ହେଲେ ସଫଳ ହେବନି ବୋଲି ସେ କହିଛନ୍ତି। ଏହି ଘଟଣାକୁ ବିରୋଧ କରି ମୋହିତ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।