Odia News Portal

ହିଜାବ ବିବାଦ; ହିଜାବ କଟକଣାକୁ ବିରୋଧ କରିବାରୁ ୨୪ ଜଣ ଛାତ୍ରୀଙ୍କୁ ବହିଷ୍କାର କଲା ଏକ ମହାବିଦ୍ୟାଳୟ

ପୁଣିଥରେ କର୍ଣ୍ଣାଟକରେ ହିଜାବ ବିବାଦ ଦେଖିବାକୁ ମିଳିଛି । ତେବେ ହିଜାବ କଟକଣାକୁ ବିରୋଧ କରିବାରୁ ୨୪ ଜଣ ଛାତ୍ରୀଙ୍କୁ ବହିଷ୍କାର କରିଛି ଏକ ମହାବିଦ୍ୟାଳୟ । ଏହି ଛାତ୍ରୀମାନେ ହିଜାବ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରିଥିଲେ। ଏମାନେ ସମସ୍ତେ ଉପ୍ପିନଗଣ୍ଡି ସରକାରୀ ଫାଷ୍ଟ ଗ୍ରେଡ କଲେଜର ଛାତ୍ରୀ ଥିଲେ। ସେମାନେ କଲେଜର ଗାଇଡଲାନକୁ ଉଲଙ୍ଘନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ବହିଷ୍କାର କରାଯାଇଥିବା ୨୪ ଜଣ ଛାତ୍ରୀ ଗତ ସପ୍ତାହ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ଲାଗିଥିବା କଟକଣା ଓ ସରକାରଙ୍କ ଆଦେଶ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ସହିତ ସେମାନେ ଶ୍ରେଣୀ ବର୍ଜନ କରିବା ସହିତ ବିରୋଧ କରିଥିଲେ। ଛାତ୍ରୀମାନଙ୍କର ଏପରି କାର୍ୟ୍ୟକଳାପ ଦେଖି କଲେଜ କମିଟି ସେମାନଙ୍କୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ସୂଚନାଥାଉକି କିଛିଦିନ ପୂର୍ବରୁ ୭ ଜଣ ଛାତ୍ରୀଙ୍କୁ ବହିଷ୍କାର କରାଯାଇଥିଲା। ଯେତେବେଳେ ଗଣମାଧ୍ୟମ ଏହି ରିପୋର୍ଟ କଭର କରିଥିଲା ସେତେବେଳେ ଗଣମାଧ୍ୟମ କର୍ମୀମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ସୂଚନାଥାଉକି କର୍ଣ୍ଣାଟକ ସରକାର ସ୍କୁଲ ଓ କଲେଜ୍ରେ ଛାତ୍ରଛାତ୍ରୀମାନଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକବୋଲି ଗାଇଡ ଲାଇନ ଜାରିକରିଛନ୍ତି। ଅନ୍ୟପଟେ କିଛି ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ଦାବୀ କରୁଛନ୍ତି।ସେପଟେ କର୍ଣ୍ଣାଟକ ହାଇକୋର୍ଟ ସ୍କୁଲ କଲେଜରେ ହିଜାବ ପିନ୍ଧିବା ଉପରେ କଟକଣା ଲଗାଇବା ରାଜ୍ୟ ସରକାରଙ୍କ ଆଦେଶକୁ ସଠିକ ବୋଲି କହିଥିଲେ ହିଜାବ ଉପରେ ଚ୍ୟାଲେଞ୍ଜ କରି ଆବେଦନ କରାଯାଇଥିବା ସମସ୍ତ ଯାଚିକାକୁ ଖାରଜ କରି ଦେଇଥିଲେ।