Odia News Portal

ଥାଇଲାଣ୍ଡର ଲୋକମାନଙ୍କୁ ଗଞ୍ଜେଇ ଚାଷ ଓ ବ୍ୟବସାୟ ନେଇ ମିଳିଲା ଅନୁମତି

ଥାଇଲାଣ୍ଡର ଲୋକମାନଙ୍କୁ ଗଞ୍ଜେଇ ଚାଷ ଓ ବ୍ୟବସାୟ ନେଇ ମିଳିଲା ଅନୁମତି । ମାତ୍ର ଏହି ଦେଶରେ ଗଞ୍ଜେଇ ସେବନ ଉପରେ ଏବେ ବି କେତେକ କଟକଣା ଲାଗୁ ରହିଛି । ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ଗଞ୍ଜେଇ ଉପରୁ କଟକଣା ହଟାଇବାରେ ଥାଇଲାଣ୍ଡ ପ୍ରଥମ ଦେଶରେ ପରିଣତ ହୋଇଛି । ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ଅନୁମତି ଦେଇ ଥାଇଲାଣ୍ଡ ସରକାର କୃଷି ଓ ତତସଂପର୍କୀତ ଶିଳ୍ପର ବିକାଶ ପାଇଁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଏହା ସହିତ ଅନ୍ତର୍ଜାତୀୟ ବଜାରରେ ଗଞ୍ଜେଇର ଚାହିଦା ବଢୁଥିବାରୁ ରପ୍ତାନି କରିବାକୁ ମଧ୍ୟ ଥାଇଲାଣ୍ଡ ଲକ୍ଷ୍ୟ ରଖିଛି ।

ଦେଶରେ ଗଞ୍ଜେଇ ଚାଷକୁ ପ୍ରେତ୍ସାହିତ କରିବାକୁ ଥାଇ ସରକାର ଚାଷୀମାନଙ୍କୁ ପ୍ରାୟ ୧୦ ଲକ୍ଷ ଗଞ୍ଜେଇ ଚାରା ପ୍ରଦାନ କରିଛନ୍ତି । ଏ ସଂପର୍କରେ ଥାଇଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଅନୁଟିନ ଚାରନିଭାକୁଲ କହିଛନ୍ତି ଯେ ଗଞ୍ଜେଇ ବ୍ୟବସାୟରୁ ଲୋକମାନେ ଓ ସରକାରଙ୍କ ଆୟ ବଢାଇବାକୁ ଏହା ଏକ ସୁଯୋଗ ।ଗୁରୁବାରଠାରୁ ଥାଇଲାଣ୍ଡର ଲୋକମାନେ ସରକାରଙ୍କ ନିକଟରେ ପଂଜୀକରଣ କରିବା ପରେ ନିଜ ଘରେ ୬ଟି ଗଞ୍ଜେଇ ଚାରା ରୋପଣ କରିପାରିବେ । ସେହିପରି କମ୍ପାନିମାନେ ସରକାରୀ ପରମିଟ ହାସଲ କରି ଗଞ୍ଜେଇ ଚାଷ କରିପାରିବେ ବୋଲି ସେ କହିଛନ୍ତି ।