Odia News Portal

୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା । ଏ ନେଇ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ତେବେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶିଶୁ ଶ୍ରମ ଉଚ୍ଛେଦ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନର କଡ଼ାକଡ଼ି ପାଳନ ସହ ଜିଲାସ୍ତରରେ ସମସ୍ତ ଅଧିକାରୀ ଶିଶୁ ଶ୍ରମ ନିରାକରଣ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଉତ୍ସବ ଆରମ୍ଭ ପୂର୍ବରୁ ଗତ ୨୯ ତାରିଖରୁ ରାଜ୍ୟ ଓ ଜିଲା ସ୍ତରରେ ହୋଇଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମଗୁଡ଼ିକର ଏକ ଫଟୋ ଗ୍ୟାଲେରିକୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ଏଥିସହିତ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ପୋଷ୍ଟର, ଷ୍ଟିକର ଏବଂ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଚଳଚ୍ଚିତ୍ର ମଧ୍ୟ ଉନ୍ମୋଚିତ ହୋଇଥିଲା। ସେପଟେ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କ ପାଇଁ ଏକ ବିଶେଷ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ କେନ୍ଦୁଝର, ଖୋର୍ଦ୍ଧା, ଢେଙ୍କାନାଳ ଏବଂ ମୟୂରଭଞ୍ଜରୁ ଶିଶୁ ଶ୍ରମିକ କ୍ଷେତ୍ରରୁ ଉଦ୍ଧାର ହୋଇ ସମାଜର ମୁଖ୍ୟସ୍ରୋତକୁ ଫେରି କୃତକାର୍ଯ୍ୟ ହୋଇଥିବା କେତେଜଣ ଛାତ୍ର ଏବଂ ଯୁବକ ମଧ୍ୟ ସାମିଲ ହୋଇଥିଲେ। ଶିକ୍ଷାର ଆବଶ୍ୟକତା ସହ ସରକାରଙ୍କ ତ୍ୱରିତ ପଦକ୍ଷେପ କିପରି ଜୀବନକୁ ନୂତନ ଦିଗ୍‌ଦର୍ଶନ ଦିଏ ସେ ଦିଗରେ କହିିଥିଲେ।

କମିଶନର ତିରୁମାଲା ନାଏକ ସ୍ବାଗତ ଭାଷଣ ଦେବା ସହ ଆଇନର ବିଭିନ୍ନ ଦିଗ ଓ ଦଣ୍ଡବିଧାନ ସମ୍ପର୍କରେ ଅବଗତ କରାଇଥିଲେ। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଓଡ଼ିଶା ୟୁନିସେଫ୍‌ ମୁଖ୍ୟ ମୋନିକା ନେଲଶନ ଅତିଥି ଭାବରେ ଯୋଗଦେଇଥିଲେ। ସମସ୍ତ ଜିଲାର ଶ୍ରମ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ଏବଂ ୧୬ ଜିଲାର ଶିକ୍ଷାଧିକାରୀ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।