ଜଗତସିଂହପୁର ସଦର ଥାନାରେ ବିଧାୟକଙ୍କ ନାଁରେ ଏତଲା ଦିଆଯାଇଛି । ବିଧାୟକଙ୍କ ପ୍ରେମିକା ସୋମାଲିକା ଏତଲା ଦେଇଛନ୍ତି । ଶୁକ୍ରବାର ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ବିବାହ କରିବାକୁ କହି ବିଧାୟକ ଆସି ନଥିବା ସୋମାଲିକା ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ମାସ ୧୭ତାରିଖରେ ବିଜୟ ଶଙ୍କର ଏବଂ ତାଙ୍କ ପ୍ରେମିକା ବିବାହ ପାଇଁ ସବ୍ ରେଜିଷ୍ଟ୍ରିରେ ଆବେଦନ କରିଥିଲେ । ଜଗତସିଂହପୁର ଜିଲ୍ଲା ସବ୍ ରେଜିଷ୍ଟ୍ରି ଅଫିସରେ ଶୁକ୍ରବାର ରେଜେଷ୍ଟ୍ରି ବିବାହ ପାଇଁ ଦରଖାସ୍ତକୁ ୩୦ଦିନ ହୋଇଥିଲା । ତେବେ ସୋମାଲିକା ଅଭିଯୋଗ କରିଥିଲେ ଯେ, ରେଜେଷ୍ଟ୍ରି ବିବାହ ପାଇଁ ଗୁରୁବାର ରାତିରେ ବିଜୟ ଶଙ୍କର ଏବଂ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା ହୋଇଥିଲା । ଆଲୋଚନା ମୁତାବକ ଶୁକ୍ରବାର ପ୍ରେମିକା ସୋମାଲିକା, ତାଙ୍କ ଓକିଲ ଏବଂ ପରିବାର ସହିତ ସବ୍ ରେଜିଷ୍ଟ୍ରି ଅଫିସରେ ପହଞ୍ଚିଥିଲେ । କିନ୍ତୁ ବିଜୟ ଶଙ୍କରଙ୍କର ଦେଖା ନଥିଲା । ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ବିଜୟ ନ ଆସିବାରୁ ଶେଷରେ ସୋମାଲିକା ଘରକୁ ଫେରିଥିଲେ । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ସେ କହିଥିଲେ ।
ଅନ୍ୟପଟେ ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ବିଧାୟକ ବିଜୟ ଶଙ୍କର । ସେ କହିଥିଲେ, ୩୦ ଦିନ ହେଲା, ୯୦ ଦିନ ମଧ୍ୟରେ ବିବାହ କରିବା କଥା । ଆହୁରି ୬୦ ଦିନ ବାକି ରହିଛି । ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି ବୋଲି ସେ ବିଜୟ କହିଛନ୍ତି ।
