Odia News Portal

ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍ ବ୍ୟବସ୍ଥା ଲାଗୁ

ତିନିଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ମୋବାଇଲ୍ ସାଇନ୍ସ ଏକ୍ଜିବିସନ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ପିଲାମାନଙ୍କ ମଧ୍ୟରେ ଗଣିତର ଜ୍ଞାନ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‍ ଅଫ୍ ମ୍ୟାଥେମେଟିକ୍ସ ଆଣ୍ଡ୍ ଆପ୍ଲିକେସନ୍ସ ସହ ମୋ ସ୍କୁଲ ହାତ ମିଳାଇଛି। ଉଭୟ ଅନୁଷ୍ଠାନର ସହଯୋଗରେ ଉଚ୍ଚ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମ୍ୟାଥ୍ମେଟିକ୍ସ ମେଳା’ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ‘ମୋ ସ୍କୁଲ୍ ଅଭିଯାନ’ର ୩୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷାଦାନ ଉଦ୍ଦେଶ୍ୟରେ ୧୦୭୬ ହାଇସ୍କୁଲ୍ରେ କୋଡ୍ କ୍ଲବ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ୩୦ଟି ଜିଲ୍ଲାର ୪୧୩ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ଏବଂ ପ୍ରୋଗ୍ରାମିଂରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଋୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଉପକରଣ ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସ୍କୁଲ୍ଗୁଡ଼ିକ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜନ କରିବାକୁ କୁହାଯାଇଛି। ଏହା ସହ ପ୍ରତ୍ୟେକ ରୂପାନ୍ତରିତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା, ବଜ୍ରପାତରୁ ସୁରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର୍ ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବ। ହାଇସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲ୍ରେ ଇଣ୍ଟରନେଟ୍ ସଂଯୋଗ କରାଯିବା ନେଇ ନିଷ୍ପତ୍ତି ହୋଇଛି।