Odia News Portal

ଓଡିଶା ଛାତ୍ର ଉଦୟ ଶର୍ମାଙ୍କୁ ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର୍ଣ୍ଣପଦକ

ଭୁବନେଶ୍ୱର : ଭୁବନେଶ୍ୱରର ଉଦୀୟମାନ ଛାତ୍ର ଉଦୟ ଶର୍ମା, ସିଙ୍ଗାପୁରସ୍ଥିତ ବିଶ୍ୱବିଖ୍ୟାତ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ, ଏନଟିୟୁ ପକ୍ଷରୁ ଅର୍ଥନୀତିରେ ସର୍ବାଧିକ ନମ୍ବର ରଖି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଶ୍ରେଷ୍ଠ ସ୍ନାତକ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରି ଉଦୟ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି । ସଂପ୍ରତି ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ସିଙ୍ଗାପୁରର ରାଷ୍ଟ୍ରପତି ହଲିମାହ ୟାକବ ଉଦୟଙ୍କୁ ସ୍ୱର୍ଣ୍ଣ ପଦକ ଓ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ ଲି କ୍ୱାନ ୟେଙ୍କ ନାମରେ ଏହି ସ୍ୱର୍ଣ୍ଣ ପଦକ ନାମିତ ହୋଇଛି । ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱରେ ପ୍ରୟୋଗାତ୍ମକ ବୈଷୟିକ ଜ୍ଞାନକୌଶଳ ବିକାଶ ଗବେଷଣା କ୍ଷେତ୍ରରେ ଅନ୍ୟତମ ଶ୍ରେଷ୍ଠ ଗବେଷଣା ଅନୁଷ୍ଠାନ । ଅର୍ଥନୀତିରେ ସ୍ନାତକ ଶିକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ ସହ ବିଶ୍ୱ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱକୁ ବିଚାର କରାଯାଇ ଏହି ସ୍ୱର୍ଣ୍ଣ ପଦକ ଲାଗି ଉଦୟ ଶର୍ମାଙ୍କ ନାମ ବିଶ୍ୱବିଦ୍ୟାଳୟ ଚୂଡାନ୍ତ କରିଥିଲେ । ଏହି ପଦକ ହାସଲ ପରେ ଉଦୟ ଆମେରିକାର ପ୍ରତଷ୍ଠି ିତ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟେସନାଲ ଫାଇନାନ୍ସ ପାଠ୍ୟକ୍ରମରେ ଏମ୍ଏସ୍ ଲାଗି ସିଧାସଳଖ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଦୟ ଶର୍ମା ହେଉଛନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ ଅଫିସର ଦମ୍ପତି ରାଜକୁମାର ଶର୍ମା ଓ ଡ଼. ମୋନା ଶର୍ମାଙ୍କ ଏକମାତ୍ର ପୁତ୍ର ।