ଲଦାଖରେ ଏଲଏସି ନିକଟରେ ଚୀନ୍ ସେନା ସହ ଭାରତର ମୁହାଁମୁହିଁ ଅବସ୍ଥା ଲାଗି ରହିଥିବା ବେଳେ ଆମ ସେନା ହାତକୁ ଆହୁରି ବଳିଷ୍ଠ କରିବା ପାଇଁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ବଦେଶରେ ନିର୍ମିତ ଅନେକ ଅସ୍ତ୍ରଶସ୍ତ୍ର/ଯନ୍ତ୍ର ସେମାନଙ୍କ ହାତରେ ଅର୍ପଣ କରିଛନ୍ତି। ରାଜନାଥ ସେନାକୁ ଦେଇଛନ୍ତି- ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ (ଏଲଏସି), ଆଣ୍ଟି-ପର୍ସନେଲ ମାଇନ୍ ‘ନିପୁନ’, ଏଫ-ଇନସାସ୍ ସିଷ୍ଟମ୍ (ଫ୍ୟୁଚର ଇନଫ୍ୟାଣ୍ଟ୍ରି ସୋଲଜର୍ସ ଆଜ୍ ଏ ସିଷ୍ଟମ୍), ସ୍ବୟଂକ୍ରିୟ ଯୋଗାଯୋଗ ବ୍ୟବସ୍ଥା ଏବଂ ଦୂରକୁ ଦେଖିବା ପାଇଁ ବିକଶିତ ବ୍ୟବସ୍ଥା। ଏସବୁ ପ୍ରଦାନ କରି ରାଜନାଥ ଆଶାବ୍ୟକ୍ତ କରିଛନ୍ତି ଯେ, ଏହି ଅସ୍ତ୍ରଶସ୍ତ୍ର ବା ଯନ୍ତ୍ରଗୁଡ଼ିକ ଆମ ସେନାର ଦକ୍ଷତା ବୃଦ୍ଧି କରିବ। ଶତ୍ରୁ ସେନା ସହ ଲଢ଼ିବା ପାଇଁ ସେମାନଙ୍କ ପ୍ରସ୍ତୁତି ଭଲ ରହିବ ଓ ମନୋବଳ ବୃଦ୍ଧି ପାଇବ।
