Odia News Portal

ନଈ ମଝିରେ ବୁଡ଼ିଗଲା ଡଙ୍ଗା, ୭ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ଡଙ୍ଗା ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏନଡିଆରଏଫ୍ ଟିମ୍ ୫ ଜଣଙ୍କ ମୃତଦେହ ନଈରୁ ଉଦ୍ଧାର କରିଛି। ଖବରରୁ ଜଣାପଡ଼ିଛି, ଗତକାଲି ସନ୍ଧ୍ୟା ସମୟରେ ଏଠାରେ ଏକ ନଈରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଡଙ୍ଗାରେ ଥିବା ୧୭ ଜଣ ଯାତ୍ରୀ ପାଣିରେ ବୁଡ଼ି ଯାଇଥିଲେ। ମିଳିଥିବା ସୂଚନା ମୁତାବକ, ଡଙ୍ଗା ନଈ ମଝିରେ ଥିବାବେଳେ ହଠାତ୍ ଏକ ସାପ କେଉଁଆଡ଼ୁ ପହଁରି ଆସିଥିଲା। ସାପକୁ ଦେଖି ଡଙ୍ଗାରେ ଥିବା ଯାତ୍ରୀମାନେ ଏତେ ଭୟଭୀତ ହୋଇ ପଡ଼ିଥିଲେ ଯେ ଡଙ୍ଗା ଦୋହଲିବାକୁ ଲାଗିଥିଲା। ଶେଷରେ ଏହା ଭାରସାମ୍ୟ ହରାଇ ସେହିଠାରେ ହିଁ ବୁଡି ଯାଇଥିଲା। ବୁଡ଼ି ଯାଇଥିବା ୧୭ ଜଣଙ୍କ ମଧ୍ୟରୁ ସେହି ସମୟରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସାପ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ବାକି ଯାତ୍ରୀମାନଙ୍କୁ ନଦୀରୁ ଉଦ୍ଧାର କରାଯାଇଛି ଏବଂ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି।